ଭୁବନେଶ୍ବର: ରାଜ୍ୟ ରାଜଧାନୀ ଉପକଣ୍ଠ ଯାଆଁଳା ବଜାରରେ ଗୁଳିମାଡ଼। ରବିବାର ରାତି ପ୍ରାୟ ୯.୩୦ଟା ବେଳେ କିଛ ଦୁର୍ବୃତ୍ତ ସ୍ବାତୀ ଜୁଏଲର୍ସର ମାଲିକଙ୍କ ପୁଅକୁ ଗୁଳିମାଡ଼ କରିଛନ୍ତି। ଗୁଳିମାଡ଼ରେ ଗୁରୁତର ହୋଇଛନ୍ତି ଲୋକନାଥ ସୁବୁଦ୍ଧି। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଛି।
ଲୁଟେରାମାନେ ଲୋକନାଥଙ୍କ ପାଖରୁ କିଛି ଲୁଟି ପାଇନଥିବା ବେଳେ ଆକ୍ରମଣ କରି ସେଠାରୁ ଖସି ପଳାଇବା ବେଳେ ସେମାନେ ୬ ରାଉଣ୍ଡ ଗୁଳି ଫୁଟାଇଥିବା ଜଣାପଡ଼ିଛି। ଖବର ପାଇ ଏସିପି ରଜତ ରାୟଙ୍କ ନେତୃତ୍ବରେ ଯାଁଳା ଫାଣ୍ଡି, ଇନ୍ଫୋଭ୍ୟାଲି ଥାନା, ଜଟଣୀ ଥାନା, ତମାଣ୍ଡୋ ଥାନା ଓ ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ରାତି ପ୍ରାୟ ୯.୧୫ ବେଳେ ଯାଆଁଳା ବଜାରରୁ ସ୍ବାତୀ ଜୁଏଲର୍ସର ମାଲିକ ଭଗବାନ ସୁବୁଦ୍ଧି ଓ ତାଙ୍କ ପୁଅ ଲୋକନାଥ ଦୋକାନ ବନ୍ଦ କରି ମୁଣ୍ଡୁମୁହାଣ ସ୍ଥିତ ଘରକୁ ବାହାରିଥିଲେ। ସେମାନେ ଗହଣା ବ୍ୟାଗ୍ରେ ଭର୍ତ୍ତି କରି ସ୍କୁଟି ଡିକିରେ ରଖିଥିଲେ। ଭଗବାନଙ୍କ ସ୍କୁଟିରେ ଗହଣାତକ ଥିଲା। ଭଗବାନ ଆଗେ ଆଗେ ଯାଉଥିବା ବେଳେ ପୁଅ ଲୋକନାଥ ପଛରେ ଯାଉଥିଲେ। ଯାଆଁଳା ପୋଷ୍ଟ ଅଫିସ ପାଖ ଗଳିରେ ଯାଉଥିବା ବେଳେ ଏକ ଅନ୍ଧାରିଆ ସ୍ଥାନରେ ଛପି ଥିବା ପ୍ରାୟ ତିନି, ଚାରି ଜଣ ଦୁର୍ବୃତ୍ତ ଲୋକନାଥଙ୍କୁ ଅଟକାଇଥିଲେ। ସେତେବେଳକୁ ଭଗବାନ କିଛି ବାଟ ଆଗେଇ ଯାଇଥିଲେ। ଦୁର୍ବୃତ୍ତମାନେ ଲୋକନାଥଙ୍କୁ ଅଟକାଇବା ସହ ତାଙ୍କ ମୁଣ୍ଡକୁ ବନ୍ଧୁକ ମୁନରେ ବାଡ଼େଇ ଦେଇଥିଲା। ଫଳରେ ତାଙ୍କ ମୁଣ୍ଡ ଫାଟିଯାଇଥିଲା।
ଦୁଇ ଜଣକ ମଧ୍ୟରେ ଧସ୍ତାଧସ୍ତି ଲାଗିଥିବା ବେଳେ ଅନ୍ୟ ଦୁର୍ବୃତ୍ତମାନେ ସ୍କୁଟି ଡିକି ଭାଙ୍ଗି ଗହଣା ଦରାଣ୍ଡି ଥିଲେ। ମାତ୍ର ଗହଣା ବ୍ୟାଗ୍ ନପାଇ ସେମାନେ ଲୋକନାଥକୁ ମାଡ଼ ମାରିଥିଲେ। ଲୋକନାଥ ଚିତ୍କାର କରିବାରୁ ଦୁର୍ବୃତ୍ତମାନେ ତାଙ୍କ ଜଙ୍ଘକୁ ଅତି ନିକଟରୁ ୨ ରାଉଣ୍ଡ ଗୁଳିମାଡ଼ କରିବା ସହ ଲୋକଙ୍କୁ ଭୟଭୀତ କରିବାକୁ ଆଉ ୬ ରାଉଣ୍ଡ ଗୁଳି ଫୁଟାଇ ଛୁ ମାରିଥିଲେ। ସ୍ଥାନୀୟ ଲୋକେ ଲୋକନାଥଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇ ଯାଇଥିଲେ।
ସୂଚନାଯୋଗ୍ୟ, ଗତ ମାସରେ ଯାଆଁଳା ବଜାରସ୍ଥିତ ସାଗରିକା ଜୁଏଲର୍ସ ମାଲିକ କବିରାଜ ସୁବୁଦ୍ଧିଙ୍କ ଦୋକାନରୁ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ଗହଣା ଲୁଟିଥିଲେ ଓ ଗୁଳିମାଡ଼ କରି ଫେରାର୍ ହୋଇଯାଇଥିଲେ। ସେହି ଘଟଣାରେ ପୋଲିସ କାହାକୁ ଗିରଫ କରିପାରିନଥିବା ବେଳେ ଏବେର ଏହି ଅଘଟଣକୁ ନେଇ ଯାଆଁଳା ବଜାରରେ ଆତଙ୍କ ଖେଳିଯାଇଛି।