ଭୁବନେଶ୍ୱର: ପଞ୍ଚାୟତ ପୌର ନିର୍ବାଚନ ପରେ ଏବେ ୨୦୨୪ ନିର୍ବାଚନ ପାଇଁ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସେମାନଙ୍କ ପ୍ରସ୍ତୁତି। ଶାସକ ବିଜେଡ଼ି ଭଲ ପ୍ରଦର୍ଶନ କରିଥିବା ସତ୍ତ୍ୱେ ଯେଉଁ କିଛି ସ୍ଥାନରେ ଫଳାଫଳ ନିଜ ସପକ୍ଷରେ ଆସିନଥିବାରୁ ତାର ହିସାବ ନିକାସ ଚାଲିଛି। ବିଜେପି ମିସନ ୧୨୦ କଥାକୁ ଦୋହରାଇଥିବା ବେଳେ କଂଗ୍ରେସ ଅପେକ୍ଷା କରିଛି ନୂଆ ଟିମକୁ।
ବିଜେଡ଼ିକୁ ଘାରିଛି ସଙ୍ଗଠନ ଚିନ୍ତା । ତେଣୁ ବିଜେଡ଼ି ସଂଗଠନରେ ଖୁବଶୀଘ୍ର ହେବାକୁ ଯାଉଛି ନବକଳେବର । ସାଧାରଣ ନିର୍ବାଚନ ପୂର୍ବରୁ ସଂଗଠନକୂ ସଶକ୍ତ କରିବାକୁ ଅଣ୍ଟା ଭିଡିଛନ୍ତି ବିଜେଡ଼ି ସୁପ୍ରିମୋ । ତେଣୁ ଆସନ୍ତା କିଛିଦିନ ମଧ୍ୟରେ ପର୍ଯ୍ୟବେକ୍ଷକ ଓ ସଂଗଠନିକ ଜିଲ୍ଲା ସଭାପତିଙ୍କ ଅଦଳବଦଳ କରିବେ ନବୀନ ।
ଦଳ ସିନା ପଞ୍ଚାୟତ ପୌର ନିର୍ବାଚନରେ ରେକର୍ଡ଼ ସଂଖ୍ୟାରେ ବିଜୟ ହାସଲ କରିଛି । କିନ୍ତୁ ସଂଗଠନରେ ଥିବା ଦୁର୍ବଳତା ପଦାରେ ପଡ଼ିଛି । ଉଭୟ ନିର୍ବାଚନରେ ଦଳ ଭିତରକୁ ବିଜେଡ଼ିକୁ ବିଦ୍ରୋହର ସାମ୍ନା କରିବାକୁ ପଡ଼ିଛି । ଅନେକ ସ୍ଥାନରେ ବିଦ୍ରୋହୀ ପ୍ରାର୍ଥୀ ସାମ୍ନାକୁ ଆସିଥିଲେ । ୨୦୨୪ ରେ ଯେମିତି ଶତପ୍ରତିଶତ ସଫଳତା ମିଳିବା ପାଇଁ କାମ ଆରମ୍ଭ କରିସାରିଛି ବିଜେଡି । ବିଧାୟକ ପ୍ରଣବ ବଳବନ୍ତରାୟ କହିଛନ୍ତି,”
ନିର୍ବାଚନ ସମୀକ୍ଷା ନେଇ ତର୍ଜମା ଚାଲୁଛି।ବିଜୁ ଜନତା ଦଳ ସବୁ ନିର୍ବାଚନ ପାଇଁ ପ୍ରସ୍ତୁତ ରହିଛି। ଦଳ କିଭଳି ସଂଗଠିତ ହେବ, ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଓଡିଶା ମୋ ପରିବାର ସେନେଇ କାମ କରୁଛୁ”।
ବିଜେପି କହିଛି ମିସନ ୧୨୦ ଲକ୍ଷ ନେଇ ଦଳ କାମ କରୁଛି। ଏଥିପାଇଁ ସ୍ବତନ୍ତ୍ର ରଣନୀତି ଆପଣାଉଛି। ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି,”ରାଜନୈତିକ ଦଳ ପାଇଁ ନିର୍ବାଚନ ହେଉଛି ପରୀକ୍ଷା, ଏ ପରୀକ୍ଷା ଦେବା ପାଇଁ ଆମେ ପ୍ରସ୍ତୁତି କରୁଛୁ। ୨୦୨୪ ନିର୍ବାଚନରେ ୧୨୦ ମିଶନ ଆମର ଲକ୍ଷ୍ୟ ରହିବ। ଏଥିପାଇଁ ବିଭିନ୍ନ ଯୋଜନା କରୁଛୁ, ଓଡିଶାର ଜନସାଧାରଣ ବିରୋଧୀ ଦଳର ଦାୟିତ୍ୱ ଦେଇଛନ୍ତି ତାକୁ ପାଳନ କରୁଛୁ। ଆଗାମୀ ଦିନରେ ରଣନୀତି ପ୍ରସ୍ତୁତ କରି ଏ ସରକାରର ଯେଉଁ କପି ପେଷ୍ଟ ନୀତି କରୁଛି, ତାକୁ ଲୋକଙ୍କ ପାଖରେ ଉଜାଗର କରେଇବୁ”।
କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି,”ପିସିସିର ନୂଆ କମିଟି ହେଲେ ଫୁଲ ଦମରେ କାମ ଚାଲିବ। ଲୋକ ବିଜେପି ଓ ବିଜେଡି ଉପରେ ଅସନ୍ତୋଷ ହେଲେଣି। କଂଗ୍ରେସ ତାର ଫାଇଦା ନେବ”।
ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି ବିଜେପି ମୁଖ୍ୟ ବିରୋଧୀ ଦଳ। ନିର୍ବାଚନ ପାଇଁ ସିରିୟସ ନୁହନ୍ତି। ଏମିତି କି ତାଙ୍କ ଦଳର ନେତା କହୁଛନ୍ତି ପଞ୍ଚାୟତ ପୌର ନିର୍ବାଚନରେ ଦଳ ନେତୄତ୍ବହୀନ। ତା ସତ୍ତ୍ୱେ ୩୦ ପ୍ରତିଶତ ଭୋଟ ମିଳିଛି। ତେଣୁ ସରକାର ବିରୋଧରେ ଜନମତ ରହିଛି। କିନ୍ତୁ ଏହାକୁ ନିଜ ସପକ୍ଷରେ ମାହୋଲ ବନାଇବାରେ ବିଜେପି ବିଫଳ”।