ବ୍ରହ୍ମପୁର/ଜଗନ୍ନାଥପ୍ରସାଦ/ଛତ୍ରପୁର : ଫଟୋରେ ପାଠକ ଦେଖୁଥିବା ଏହି ଦୃଶ୍ୟ ହେଉଛି, ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ଛାମୁଣ୍ଡା ପଞ୍ଚାୟତ ଲକ୍ଷ୍ମଣପଲ୍ଲୀ ରୟତ ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ବାରଣ୍ଡାର। ଦିନେ କି ଦୁଇଦିନ ନୁହେଁ, ପ୍ରତିଦିନ ଏହି ବିଦ୍ୟାଳୟର ବାରଣ୍ଡାରେ ଗାଁର ଅଙ୍ଗନବାଡ଼ି କେନ୍ଦ୍ର ପିଲାଙ୍କୁ କାମଚଳା ଭାବେ ପାଠ ପଢ଼ାଯିବା ସହ ପରିତ୍ୟକ୍ତ ପାଇଖାନାରେ ଭୋଜନ ରୋଷେଇ ହୋଇ ପିଲାଙ୍କୁ ପରସା ଯାଏ। ଏଠାରେ କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀ ସୁଦଷ୍ଣା ପ୍ରଧାନଙ୍କ କହିବାନୁସାରେ, ‘ବହୁବର୍ଷ ହେଲା ଗାଁର ଅଙ୍ଗନବାଡ଼ି କେନ୍ଦ୍ର ଏମିତି ଅସ୍ଥାୟୀ ଭାବେ ହିଁ ପରିଚାଳିତ ହେଉଛି। କୋମଳମତି ପିଲାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ପ୍ରତିମାସରେ ଏମ୍ପିଆର୍ ଦେବା ବେଳେ ଅବ୍ୟବସ୍ଥା ବିଷୟରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି ସିନା, କୌଣସି ସୁଫଳ ମିଳୁନି।’ ‘ଖାଲି ଏତିକି ନୁହେଁ, ଦୁଇବର୍ଷ ତଳେ ୮ ଲକ୍ଷ ୨୦ହଜାର ଟଙ୍କା ବ୍ୟୟରେ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ କୋଠା କାମ ଶେଷ ହୋଇସାରିଛି। କିନ୍ତୁ ଏହା ଆମକୁ ହସ୍ତାନ୍ତର ହୋଇନି।’ ସେପଟେ ଠିକାଦାର ତଥା ପୂର୍ବତନ ସରପଞ୍ଚ ବିଜୟ କୁମାର ଗୌଡ଼ଙ୍କ କହିବାନୁସାରେ କୋଠାର ନିର୍ମାଣ ବାବଦରେ ‘ମୁଁ ୧ ଲକ୍ଷ ୨୦ହଜାର ଟଙ୍କା ପ୍ରାପ୍ୟ ପାଇନି। କୌଣସି ଅଧିକାରୀ ଟଙ୍କା ଦେଉନାହାନ୍ତି। ଟଙ୍କା ପାଇଲେ ଚାବି ଦେଇଦେବି।’ତେବେ କେବଳ ଏହି ଗୋଟିଏ ଅଙ୍ଗନବାଡ଼ି କେନ୍ଦ୍ର ନୁହେଁ, ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକ୍ର ପ୍ରତି ଗ୍ରାମାଞ୍ଚଳରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରର ବାସ୍ତବ ଚିତ୍ର ପରଖିଲେ ଏହି ଅବ୍ୟବସ୍ଥା ଜଳଜଳ ହୋଇ ଦିଶିବ। ଆଜି ବି ପରିତ୍ୟକ୍ତ କୋଠା, କୋଠ ଓ ଆଖଡ଼ା ଘର, ଭଡ଼ାଘର ଏବଂ କୁଡ଼ିଆରେ ଅଙ୍ଗନବାଡ଼ି କେନ୍ଦ୍ର ଚାଲୁଛି। କେଉଁଠି କୋଠା କାମ ମୂଳରୁ ଆରମ୍ଭ ହୋଇନି, ତ ଆଉ କେଉଁଠି କୋଠା କାମ ସରିଥିଲେ ବି ଠିକାଦାର ଏହାକୁ ବିଭାଗୀୟ ଅଧିକାରୀଙ୍କୁ ହସ୍ତାନ୍ତର କରୁନାହାନ୍ତି। କିଛି କେନ୍ଦ୍ର ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ଚାଲିଛି। କେତେବେଳେ କଣ ଘଟିବ କିଛି କହି ହେବନାହିଁ। ସେହିପରି ଖୋଲାମେଲା ଆକାଶରେ ଅପରିଷ୍କାର ପରିବେଶ ଭିତରେ ଖାଦ୍ୟ ରୋଷେଇ ହେଉଥିବାର ଚିତ୍ର ବି ସାମ୍ନାକୁ ଆସୁଛି। ଅଙ୍ଗନବାଡ଼ି କେନ୍ଦ୍ର କୋଠାର କାମ ଶେଷ କରିବାକୁ କେବଳ ଡେଡ୍ଲାଇନ୍ ଜାରି ହେଉଛି, କିନ୍ତୁ କୌଣସି ସୁଫଳ ମିଳୁନି।
