ଡେରାଡୁନ ୧୪।୫:ଉତ୍ତରାଖଣ୍ଡରେ ମେ ୩ ତାରିଖ ଦିନ ଆରମ୍ଭ ହୋଇଥିବା ଚାରଧାମ ଯାତ୍ରାରେ ଏପର୍ଯ୍ୟନ୍ତ କେଦାରନାଥ, ଗଙ୍ଗୋତ୍ରୀ ଓ ୟମୁନେତ୍ରୀ ଧାମ ଯାତ୍ରା କରୁଥିବା ପ୍ରାୟ ୨୩ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହେଲାଣି। କରୋନା ଭାଇରସ ମହାମାରୀ ଯୋଗୁ ୨ ବର୍ଷ ହେଲା ବନ୍ଦ ଥିବା ଏହି ଯାତ୍ରା ଚଳିତବର୍ଷ ପୂର୍ଣ୍ଣ କ୍ଷମତାରେ ଚାଲିଛି। ଏପର୍ଯ୍ୟନ୍ତ କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଓ ୟମୁନେତ୍ରୀରେ କ୍ଷମତାରୁ ୨ ଗୁଣା ଅଧିକ ତୀର୍ଥଯାତ୍ରୀ ଚଳିତବର୍ଷ ପହଞ୍ଚିଛନ୍ତି।
ତୀର୍ଥ ଯାତ୍ରୀଙ୍କ ରାସ୍ତାରେ ଆମ୍ବୁଲାନ୍ସ, ସ୍ୱାସ୍ଥ୍ୟସେବା, ଚିକିତ୍ସା ଏବଂ ଔଷଧ ବ୍ୟବସ୍ଥା ମଧ୍ୟ କରାଯାଇଛି। ତେବେ ଚାରଧାମ ଯାତ୍ରା କାହିଁକି କଷ୍ଟସାଧ୍ୟ ଆସନ୍ତୁ ଜାଣିବା…
ଚାରଧାମ ଯାତ୍ରା ଅର୍ଥାତ ୪ ପବିତ୍ର ତୀର୍ଥ ସ୍ଥଳ ହିମାଳୟର ଉଚ୍ଚତାରେ ଅବସ୍ଥିତ। ଏଣୁ ତୀର୍ଥଯାତ୍ରୀ ଅଚାନକ ଉଚ୍ଚତା, କମ ତାପମାତ୍ରା, କମ୍ ଆର୍ଦ୍ଦତା, ବର୍ଦ୍ଧିତ ଅତି ବାଇଗଣୀ ରଶ୍ମୀ, ବାୟୁଚାପ ହ୍ରାସ ଓ କମ୍ ଅକ୍ସିଜେନ ଜନିତ ସମସ୍ୟାରେ ପ୍ରଭାବିତ ହୋଇଥାନ୍ତି। ଏଥିରେ କେଦାରନାଥ ଟ୍ରେକ୍କୁ ଭାରତର ସବୁଠୁ କଷ୍ଟସାଧ୍ୟ ବୋଲି କୁହାଯାଏ। ୧୬ କିଲୋମିଟରର ଏହି ଟ୍ରେକରେ ଯାତ୍ରୀଙ୍କ ଅସମ୍ଭବ ଭୀଡ ଥାଏ। ଏଠାରେ ଲୋକଙ୍କୁ ଚାଲିବା ଲାଗି ଅଧିକ ପରିଶ୍ରମ କରିବାକୁ ହୋଇଥାଏ। ଏଣୁ ସମତଳରେ ରହୁଥିବା ଲୋକଙ୍କୁ ଏଠାରେ କଷ୍ଟ ଅନୁଭବ ହୋଇଥାଏ।
ସେହିପରି କେଦାରନାଥରୁ ୟମୁନେତ୍ରୀ ଧାମ ଯିବା ଲାଗି ତୀର୍ଥ ଯାତ୍ରୀଙ୍କୁ କଠିନ ରାସ୍ତା ଅତିକ୍ରମ କରିବାକୁ ହୋଇଥାଏ। ଅତ୍ୟାଧିକ ଉଚ୍ଚତାରେ ଥିବା ଅଞ୍ଚଳକୁ ଥଣ୍ଡାରେ ପାଦରେ ଚାଲିକରି ଯିବା ବେଳେ ଅକ୍ସିଜେନ ଅଭାବ ଅନୁଭବ ହୋଇଥାଏ। ଏଥିରେ ପାଦରେ ଚଢୁଥିବା ଯାତ୍ରୀଙ୍କୁ ଉଚ୍ଚ ରକ୍ତଚାପ, ମଧୂମେହ, କ୍ୟାନସର ଓ ଆଜମା ଗ୍ରସିତ ଲୋକଙ୍କ ସ୍ୱାସ୍ୟ ଖରାପ ହେବାର ବିପଦ ରହିଥାଏ। ଅଧିକ ଉଚ୍ଚତାରେ ଥିବା କ୍ଷେତ୍ରରେ ଅକ୍ସିଜେନ ଅଭାବ କାରଣରୁ ଲୋକଙ୍କ ରକ୍ତଚାପ ବଢିଥାଏ। ଏଣୁ ଯଦି ପୂର୍ବରୁ କୌଣସି ରୋଗରେ ଆକ୍ରାନ୍ତ ତେବେ ଏପରି ତୀର୍ଥ ଯାତ୍ରାରେ ଯିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେଇ ବାହାରନ୍ତୁ।
କମ ଅକ୍ସିଜେନ ଓ ଅଧିକ ଉଚ୍ଚତାର ପ୍ରଭାବ ଭିନ୍ନ ଭିନ୍ନ ବୟସର ଲୋକଙ୍କ ଠାରେ ଭିନ୍ନ ଅନୁଭୂତ ହୋଇଥାଏ। ବୟସ୍କ ଲୋକଙ୍କ ଉପରେ ଅକ୍ସିଜେନ ହ୍ରାସ ଗୁରୁତର ପ୍ରଭାବ ପକାଇଥାଏ। ୨୫ ବର୍ଷ ବୟସ ପରେ ହୃଦୟକୁ ରକ୍ତ ସଞ୍ଚାର କରୁଥିବା କରୋନାରୀ ଧମନି ଦୁର୍ବଳ ହେବାରେ ଲାଗନ୍ତି। ଏଣୁ ପାର୍ବତ୍ୟାଞ୍ଚଳରେ ବୟସ୍କଙ୍କ ଲାଗି ରିସ୍କ ବଢିଯାଇଥାଏ। ଏଣୁ ଏପରି ଲୋକଙ୍କ ଲାଗି ସରକାରଙ୍କ ପକ୍ଷରୁ ହେଲଥ ଆଡଭାଇଜରୀ ଜାରି ହୋଇଛି।
ଆଡଭାଇଜରୀ ଅନୁସାରେ ସ୍ୱାସ୍ଥ୍ୟ ପରୀକ୍ଷଣ ପରେ ହିଁ ଯାତ୍ରା ଲାଗି ପ୍ରସ୍ଥାନ କରନ୍ତୁ। ସେହିପରି ପୂର୍ବରୁ ବେମାର ଲୋକେ ନିଜ ଡାକ୍ତରଙ୍କ ପରାମର୍ଶରେ ଯାତ୍ରା କରିପାରନ୍ତି ତେବେ ସାଙ୍ଗରେ ଡାକ୍ତରଙ୍କ ନମ୍ବର ଓ ପୁରୁଣା ପ୍ରେସ୍କ୍ରିପସନ ରଖିବା ଜରୁରୀ। ଅତି ବୃଦ୍ଧ, ରୋଗାକ୍ରାନ୍ତ ଓ ପୂର୍ବରୁ କୋଭିଡରେ ଆକ୍ରାନ୍ତ ହୋଇଥିଲେ ଯାତ୍ରା ବର୍ଜନ କରନ୍ତୁ। ସାଙ୍ଗରେ ଗରମ ଓ ଉଲ ବସ୍ତ୍ର ନିଶ୍ଚିତ ରଖନ୍ତୁ।