ଭୁବନେଶ୍ବର: ବନ୍ଦ ହେଲା ସ୍କୁଲ, ବାତିଲ ହେଲା କ୍ଳାସ। ଗଣଶିକ୍ଷା ବିଭାଗର ସମସ୍ତ କ୍ଳାସକୁ ରାଜ୍ୟ ସରକାର ବାତିଲ କରିଛନ୍ତି। ରାଜ୍ୟରେ ଗ୍ରୀଷ୍ମପ୍ରବାହକୁ ନଜରରେ ରଖି ସ୍କୁଲ ଗୁଡିକୁ ଆଜି ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୬ ତାରିଖରୁ ୩୦ ତାରିଖ ସମସ୍ତ ଶ୍ରେଣୀଗୃହ ପାଠପଢ଼ାକୁ ବାତିଲ କରାଯାଇଛି। ହେଲେ ଚଳିତ ମାସରେ ଆଗକୁ ହେବାକୁ ଥିବା ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ସମୟ ଓ ତାରିଖ ଅନୁଯାୟୀ ଅନୁଷ୍ଠିତ ହେବ ବୋଲି ସ୍ପଷ୍ଟ କରାଯାଇଛି।
ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ୨୭ ସହରର ତାପମାତ୍ରା ୪୦ ଡିଗ୍ରୀ ଓ ୧୨ ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଛି। ଯାହାକୁ ଆଖିରେ ରଖି ରାଜ୍ୟ ସରକାର ୫ ଦିନ ପାଇଁ ସ୍କୁଲ ଓ ପାଠପଢ଼ାକୁ ବାତିଲ କରିଛନ୍ତି। ଏ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ପୂର୍ବରୁ ଅନେକ ଅଭିଭାବକ ଓ ଛାତ୍ରଛାତ୍ରୀ ଖରା ପାଇଁ ଛୁଟି କରିବାକୁ ଦାବି କରୁଥିବାବେଳେ ଏହାକୁ ମାତ୍ର ୫ ଦିନ ପାଇଁ ବନ୍ଦ ରଖାଯାଇଛି। ରାଜ୍ୟର ସମସ୍ତ ସରକାରୀ, ଘରୋଇ, ଇଂରାଜୀ ମାଧ୍ୟମିକ ବିଦ୍ୟାଳୟକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି। ମେ ୧ ତାରିଖ ପବ୍ଲିକ ହଳିଡେ ଏବଂ ୨ ତାରିଖରୁ ଆରମ୍ଭ ହେବ ନୂଆ ଶିକ୍ଷାବର୍ଷ।
ସେପଟେ ଆରମ୍ଭ ହୋଇଛି ପରୀକ୍ଷା ଋତୁ। ଚଳିତ ସପ୍ତାହରୁ ଆରମ୍ଭ ହୋଇଗଲା ପରୀକ୍ଷା ଋତୁ। CBSE, ISC, ICSE, BSE ଓ CHSEର ବୋର୍ଡ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। CISCE ଦ୍ବାରା ପରିଚାଳିତ ISC ଦ୍ବାଦଶ ପରୀକ୍ଷା ବା ସେମିଷ୍ଟର ୨ ଆଜି ଠାରୁ ଆରମ୍ଭ ହୋଇଛି।
ଜୁନ ଯାଏଁ ଚାଲିବ ଏହି ପରୀକ୍ଷା। ଅପରାହ୍ନ ୨ଟାରେ ଆରମ୍ଭ ହେବ ପରୀକ୍ଷା। ସେହିପରି ସୋମବାରଠାରୁ ICSE ଦଶମ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି। ମେ ୨୩ ତାରିଖ ଯାଏଁ ଚାଲିବ ଏହି ପରୀକ୍ଷା। ଆସନ୍ତାକାଲି ଠାରୁ CBSE ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ମେ ୨୪ ତାରିଖରେ ଦଶମ ବୋର୍ଡ ପରୀକ୍ଷା ସରିବାକୁ ଥିବା ବେଳେ ଜୁନ ୧୫ରେ ସରିବ ଦ୍ବାଦଶ ବୋର୍ଡ ପରୀକ୍ଷା। ଏହି ପରୀକ୍ଷା ସକାଳ ୧୦.୩୦ ରୁ ଆରମ୍ଭ ହୋଇ ୧୨ ଟା ୩୦ ଯାଏଁ ଚାଲିବ। ପାଖାପାଖି ୮ ଲକ୍ଷ ରୁ ଅଧିକ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବେ।
ସେହିପରି ଆସନ୍ତା ଏପ୍ରିଲ ୨୯ରେ ରୁ ଆରମ୍ଭ ହେବାକୁ ଯାଉଛି ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ବୋର୍ଡ ପରୀକ୍ଷା। ଯାହା ମେ ୭ ତାରିଖ ଯାଏଁ ଚାଲିବ। ଆସନ୍ତା ଏପ୍ରିଲ ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦ୍ବାଦଶ ବୋର୍ଡ ପରୀକ୍ଷା। ଏହି ପରୀକ୍ଷା ମେ ୩୧ ତାରିଖ ଯାଏଁ ଚାଲିବ। ସମସ୍ତ ପରୀକ୍ଷା କୋଭିଡ କଟକଣା ଭିତରେ ହେବ। ଚଳିତ ବର୍ଷ ଓଡିଶାରେ ୫ ଲକ୍ଷ ୮୫ ହଜାର ୭୩୦ ଜଣ ପରୀକ୍ଷାର୍ଥୀ ଦଶମ ବୋର୍ଡ ପରୀକ୍ଷା ଦେବାକୁ ଥିବା ବେଳେ ୩ ଲକ୍ଷ ୨୧ ହଜାର ୫୦୮ ଜଣ ପରୀକ୍ଷାର୍ଥୀ ଯୁକ୍ତ ୨ ପରୀକ୍ଷା ଦେବେ।