ପାଟନା : ବିଜେପି ସମର୍ଥନରେ ମୁଖ୍ୟମନ୍ତ୍ରୀ ହୋଇଥିବା ନୀତୀଶ କୁମାରଙ୍କୁ ନେଇ ବିହାର ରାଜନୀତି ପୁଣି ସରଗରମ ହୋଇଉଠିଛି। ସେ ବିଜେପି ହାତ ଛାଡ଼ି ପୁଣି ଲାଲୁ ଯାଦବଙ୍କ ଆରଜେଡି ସହ ମେଣ୍ଟ କରିବେ ବୋଲି ଜୋରଦାର ଚର୍ଚ୍ଚା ଚାଲିଛି। ଆସନ୍ତା ମାସ ରାଜ୍ୟସଭା ନିର୍ବାଚନ ଏବଂ ଜୁଲାଇରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଥିବା ବେଳେ ଜେଡିୟୁ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନୀତୀଶଙ୍କୁ ନେଇ ଏଭଳି ଚର୍ଚ୍ଚା ବିଜେପି ହାଇକମାଣ୍ଡଙ୍କୁ ଚିନ୍ତାରେ ପକାଇଦେଇଛି।ଆସନ୍ତା ଦୁଇ ତିନି ଦିନରେ ବିହାରରେ କିଛି ବଡ଼ ପରିବର୍ତ୍ତନ ଦେଖାଦେଇପାରେ। ନୀତୀଶ କୁମାର ଜେଡିୟୁ ବିଧାୟକମାନଙ୍କୁ ଆସନ୍ତା ୭୨ ଘଣ୍ଟା ପର୍ଯ୍ୟନ୍ତ ରାଜଧାନୀ ପାଟନା ନଛାଡ଼ିବା ଲାଗି ନିର୍ଦ୍ଦେଶ ଦେବାପରେ ଏଭଳି ଆଭାସ ମିଳୁଛି। ମୁଖ୍ୟମନ୍ତ୍ରୀ ଗତକିଛି ଦିନ ଧରି ଦଳୀୟ ନେତା ଏବଂ ବିଧାୟକଙ୍କ ସହ ଲଗାତାର ବୈଠକ କରୁଛନ୍ତି। ଗତକାଲି ସେ ମନ୍ତ୍ରୀ, ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କୁ ଭେଟିଛନ୍ତି। ତେବେ ବୈଠକରେ କଣ ଆଲୋଚନା ହେଉଛି, ତାହାକୁ ଗୁପ୍ତ ରଖାଯାଇଛି।ଇତିମଧ୍ୟରେ ନୀତୀଶ କୁମାର ଆସନ୍ତାକାଲି ରାଜଗୀର ଗସ୍ତ କରିପାରନ୍ତି। ଏହି ଗସ୍ତ ସମୟରେ ହିଁ ସେ କିଛି ବଡ଼ ଘୋଷଣା କରିବେ ବୋଲି ତାଙ୍କ ନିକଟତମ ମହଲରୁ ଜଣାପଡ଼ିଛି। ୨୦୧୭ରେ ମହାମେଣ୍ଟରୁ ଓହରିବା ପୂର୍ବରୁ ନୀତୀଶ କିଛି ଦିନ ପାଇଁ ରାଜଗୀର ଗସ୍ତ କରିଥିଲେ। ରାଜଗୀରରୁ ଫେରିବାପରେ ସେ ମହାମେଣ୍ଟ ଛାଡ଼ିବା ନିଷ୍ପତ୍ତି ନେଇଥିଲେ।
ସୋମବାର ଦିନ ମୁଖ୍ୟମନ୍ତ୍ରୀ ନୀତୀଶଙ୍କର ଗୋଟିଏ ଘୋଷଣା ଏସବୁ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ବିଜେପିର ବିରୋଧ ସତ୍ତ୍ବେ ଜାତି ଭିତ୍ତିକ ଜନଗଣନା କରାଯିବ ବୋଲି ନୀତୀଶ ସୋମବାର ଦିନ ଘୋଷଣା କରିଛନ୍ତି। ଆରଜେଡି ନେତା ତେଜସ୍ବୀ ଯାଦବ ଏଭଳି ଦାବି କରୁଥିଲେ, କିନ୍ତୁ ବିଜେପି ଏହାକୁ ବିରୋଧ କରିଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କର ଆଜିର ଘୋଷଣା ବିଜେପି ନେତାମାନଙ୍କୁ ସ୍ତବ୍ଧ କରିଦେଇଛି। ଏସଂପର୍କରେ ବିଜେପି ନେତାମାନେ କୌଣସି ପ୍ରତିକ୍ରିୟା ଦେଉ ନାହାନ୍ତି। ବିଜେପି ଏବଂ ନୀତୀଶ କୁମାରଙ୍କ ମଧ୍ୟରେ ସଂପର୍କ ପୂର୍ବଭଳି ମଧୁର ନଥିବାରୁ ଆଗକୁ କିଛି ବି ଘଟିପାରେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ଦେଉଛନ୍ତି। ସେମାନେ କହିଛନ୍ତି ଯେ ଗତ ନିର୍ବାଚନ ପରେ ବିଜେପି ଠାରୁ କମ୍ ସଂଖ୍ୟକ ଆସନ ପାଇଥିଲେ ମଧ୍ୟ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ନୀତୀଶ ମୁଖ୍ୟମନ୍ତ୍ରୀ ଥିଲେ ମଧ୍ୟ ବିଜେପି କଥାରେ ଶାସନ ଚାଲିଛି। ଏହାକୁ ନେଇ ନୀତୀଶ ଭୀଷଣ ଅସନ୍ତୁଷ୍ଟ ଅଛନ୍ତି। ତେଣୁ ସେ ବିଜେପି ହାତ ଛାଡ଼ି ଲାଲୁଙ୍କ ସହ ପୁଣି ସଂପର୍କ ଯୋଡ଼ିଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।
ତେବେ ବିଜେପି ହାଇକମାଣ୍ଡ ଏହାକୁ ସହଜରେ ଗ୍ରହଣ କରିବା ସ୍ଥିତିରେ ନାହାନ୍ତି। ଯେଉଁଥିପାଇଁ କିଛି ଦିନ ତଳେ ରେଳ ନିଯୁକ୍ତି ଦୁର୍ନୀତି ମାମଲାରେ ଲାଲୁଙ୍କ ବିଭିନ୍ନ ବାସଭବନରେ ସିବିଆଇ ଚଢ଼ଉ କରିଥିଲା। ଏହା ନୀତୀଶଙ୍କ ପାଇଁ ପରୋକ୍ଷରେ ଚେତାବନୀ ବୋଲି କୁହାଯାଉଛି। କେବଳ ଏତିକି ନୁହେଁ ଜେଡିୟୁରେ ମଧ୍ୟ ବିଭାଜନ ଲାଗି ବିଜେପି ଉଦ୍ୟମ ଆରମ୍ଭ କରିଥିବା କୁହାଯାଉଛି। ଜେଡିୟୁ ନେତା ତଥା କେନ୍ଦ୍ର ମନ୍ତ୍ରୀ ଆରପି ସିଂହଙ୍କୁ ନେଇ ବିଜେପି ନୀତୀଶଙ୍କ ଦଳରେ ବିଭାଜନ ଘଟାଇପାରେ। ଦିନେ ନୀତୀଶଙ୍କ ଅତି ଘନିଷ୍ଠ ଥିବା ଆରପି ସିଂହ ଏବେ ବିଜେପିକୁ ସୁହାଇଲା ଭଳି କାମ କରି ପାରନ୍ତି ବୋଲି କୁହାଯାଉଛି। ନୀତୀଶ ଏଇଥଇପାଇଁ ତାଙ୍କୁ ପୁନର୍ବାର ରାଜ୍ୟସଭାକୁ ପଠାଇବାକୁ ଚାହୁନାହାନ୍ତି। ଆର୍ପି ସିଂହ ମଧ୍ୟ ରାଜ୍ୟସଭା ପଦ ଛାଡ଼ିବା ପାଇଁ ପ୍ରସ୍ତୁତ ନଥିବା ଜଣାପଡ଼ିଛି। ଏଭଳି ସ୍ଥିତିରେ ଯଦି ଆର୍ପି ସିଂହଙ୍କୁ ଅଣଦେଖା କରାଯାଏ ତେବେ ସେ ତାଙ୍କ ଶିବିରର ବିଧାୟକଙ୍କୁ ନେଇ ବିଜେପି ସହ ହାତ ମିଳାଇପାରନ୍ତି ବୋଲି ଖବର ମିଳିଛି।
ତେଣୁ ଆସନ୍ତା ମାସରେ ହେବାକୁ ଯାଉଥିବା ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିହାର ରାଜନୀତିରେ ବଡ଼ ପରିବର୍ତ୍ତନ ହୋଇପାରେ ବୋଲି କୁହାଯାଉଛି।