କଟକ: ସୋସିଆଲ୍ ମିଡିଆରେ ସେମାନଙ୍କ ବ୍ୟକ୍ତିଗତ ପ୍ରସଙ୍ଗ ନେଇ ଭିଡିଓ ପୋଷ୍ଟ ନ କରିବାକୁ ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ କଡ଼ା ତାଗିଦ୍ କରିଛନ୍ତି ଓଡ଼ିଶା ହାଇକୋର୍ଟ। ସାମାଜିକ ଗଣମାଧ୍ୟମରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଭିଡିଓ ସେୟାର କରି ତାଙ୍କର ଓ ବର୍ଷାଙ୍କର ବ୍ୟକ୍ତିଗତ ଜୀବନ ନେଇ ବିଭିନ୍ନ କଥା କହୁଥିବା ବେଳେ ଏହି ପ୍ରସଙ୍ଗ ନେଇ ଓଡ଼ିଶା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବର୍ଷା । ଏହି ମାମଲାର ବିଚାର କରି ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।ସୋସିଆଲ ମିଡିଆରେ ଅନୁଭବ ମହାନ୍ତି ଭିଡିଓ ଛାଡି ବିଭିନ୍ନ କଥା କହୁଥିବା ବେଳେ ବର୍ଷା ପ୍ରିୟଦର୍ଶିନୀ ଏହି ପ୍ରସଂଗ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ହାଇକୋର୍ଟ ମାମଲାର ପ୍ରାରମ୍ଭିକ ଶୁଣାଣି କରି ସୋସିଆଲ ମିଡ଼ିଆରେ କୌଣସି ପରସ୍ପର ବିରୋଧୀ ପୋଷ୍ଟ ନ କରିବାକୁ ଉଭୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ କୌଣସି ଭିଡିଓ ସୋସିଆଲ ମିଡିଆରେ ନ ପୋଷ୍ଟ କରିବାକୁ ଅନୁଭବ ମହାନ୍ତିଙ୍କୁ ହାଇକୋର୍ଟ ଅନ୍ତରୀଣ ଆଦେଶ ଦେଇଛନ୍ତି। ହାଇକୋର୍ଟ ମାମଲାରେ ଅନୁଭବ ମହାନ୍ତି, କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରି ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୪ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ଓ ଅନ୍ୟ କେତେକ ମାମଲା ଅଦାଲତରେ ବିଚାରାଧୀନ ଥିବା ବେଳେ ଏବେ ସୋସିଆଲ ମିଡିଆରେ ନାନା କଥା ଚର୍ଚ୍ଚା କରାଯାଉଛି। ସୋସିଆଲ ମଡିଆରେ ତାଙ୍କ ବିରୋଧରେ ବିଭିନ୍ନ କଥା ଚର୍ଚ୍ଚା ଦ୍ବାରା ମାନମର୍ଯାଦା ହାନି ହେଉଛି ବୋଲି ବର୍ଷା ଦର୍ଶାଇଛନ୍ତି। ତାଙ୍କର ବ୍ୟକ୍ତିଗତ ଜୀବନ ନେଇ ସୋସିଆଲ ମିଡିଆରେ ବିଭିନ୍ନ କଥା ଅନୁଭବ କହୁଛନ୍ତି। ଅନୁଭବ ଭିଡିଓ ମାଧ୍ୟମରେ ନିଜ ମତ ରଖୁଥିବା ବେଳେ ଏ ସବୁ ବର୍ଷାଙ୍କ ଜୀବନ ସହିତ ଜଡିତ। ଅଦାଲତରେ ମାମଲା ବିଚାରାଧୀନ ଥିବା ବେଳେ ସୋସିଆଲ୍ ମିଡିଆରେ ବିଭିନ୍ନ କଥା ଚର୍ଚ୍ଚା କରିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। କୌଣସି ସତ୍ୟତା ନଥିବା ଓ ଭିତ୍ତିହୀନ କଥା ସବୁ ସୋସିଆଲ ମିଡିଆରେ ତାଙ୍କ ବିରୋଧରେ କୁହାଯାଉଛି। ଏପରି ସୋସିଆଲ୍ ମିଡିଆ ପୋଷ୍ଟ ଉପରେ ଅଙ୍କୁଶ ଜାରି କରାଯିବା ଆବଶ୍ୟକ ବୋଲି ବର୍ଷାଙ୍କ ଆବେଦନରେ ଦର୍ଶାଯାଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଅନୁଭବ ମହାନ୍ତି, ରାଜ୍ୟ ସରକାରଙ୍କୁ ମାମଲାରେ ପକ୍ଷଭୁକ୍ତ କରାଯାଇଛି।
