ଭୁବନେଶ୍ବର: ସ୍ବାମୀକୁ ଚାପୁଡ଼ା ମାରି ପ୍ରେମିକ ସହ ଜଣେ ନବବିବାହିତା ମନ୍ଦିରରୁ ଫେରାର୍ ହୋଇଯିବା ଘଟଣା ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି। ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏ ସଂପର୍କରେ ଯୁବତୀଙ୍କ ସ୍ବାମୀ ବଳରାମ ସାହୁ ଲିଙ୍ଗରାଜ ଏବଂ ଭରତପୁର ଥାନାରେ ଅଭିଯୋଗ କରିଛନ୍ତି।ତାଙ୍କ ଅଭିଯୋଗ ଅନୁଯାୟୀ, ଦୁଇ ପରିବାରଙ୍କ ସହମତିକ୍ରମେ ଗତ ୧୨ତାରିଖ ଦିନ ବଳରାମ ପିପିଲି ଗୋବିନ୍ଦପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ବିବାହର ପରଦିନ ଯୁବତୀଜଣଙ୍କ କାହା ସହ କଥା ହେଉଥିବା ବଳରାମ ଶୁଣିବାକୁ ପାଇଥିଲେ। ବଳରାମ ଏଥିରେ ରାଗିବାରୁ ଯୁବତୀଜଣଙ୍କ ତାଙ୍କୁ ବୁଝାଇ ସୁଝାଇ ଚୁପ୍ କରାଇ ଦେଇଥିଲେ। ପର ଦିନ ଯୁବତୀଜଣଙ୍କ ଲିଙ୍ଗରାଜ ମନ୍ଦିର ଯିବାକୁ ଜିଦ୍ ଧରିଥିଲେ। ବିବାହ ପାଇଁ ସେ ମାନସିକ କରିଛନ୍ତି, ତେଣୁ ମନ୍ଦିର ନଗଲେ ଅନିଷ୍ଟ ହେବ କହି ବଳରାମଙ୍କୁ ସାଥିରେ ନେଇଥିଲେ। ତେବେ ଦୁହେଁ ମନ୍ଦିରରୁ ଦର୍ଶନ ସାରି ଫେରିବା ବେଳେ ଏକ ଗାଡ଼ିରେ ୫-୭ ଯୁବକ ସେଠାରେ ପହଞ୍ଚିଥିଲେ। ସେମାନେ ଦୁହିଁଙ୍କୁ ଉକ୍ତ ଗାଡ଼ିରେ ବସିବା ପାଇଁ କହିଥିଲେ। ସେମାନଙ୍କୁ ଚିହ୍ନି ନଥିବାରୁ ବଳରାମ ଏହାର ବିରୋଧ କରିଥିଲେ। ହେଲେ ଯୁବତୀଜଣଙ୍କ ଲୋକଙ୍କ ସମ୍ମୁଖରେ ବଳରାମଙ୍କୁ ଚାପୁଡ଼ା ମାରି ସେହି ଗାଡ଼ିରେ ବସି ପଡ଼ିଥିଲେ।
