ବ୍ରହ୍ମପୁର: ସେନା ବାହିନୀରୁ ଅବସର ନେବା ପରେ ସେନା ବାହିନୀରେ ଯୁବକ ଯୁବତୀଙ୍କୁ ଭର୍ତ୍ତି କରିବା ନିମନ୍ତେ ସେ ଦେଉଛନ୍ତି ମାଗଣା ତାଲିମ । ଶହ ଶହ ଯୁବକ ସକାଳ ହେଲେ ତାଙ୍କ ଠାରୁ ସେନା ବାହିନୀର ତାଲିମ ପାଇଁ ଏକାଠି ହେଉଛନ୍ତି । ସେ ହେଉଛନ୍ତି ବ୍ରହ୍ମପୁରର ସୀମାଞ୍ଚଳ ବାରିକ । ଏହି ତାଲିମ ମାତ୍ର ଦେଢ଼ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ପ୍ରାୟ ୫୦୦ ଯୁବକ ଯୁବତୀ ମାନେ ତାଲିମ ନେଉଛନ୍ତି । ନିକଟରେ ୧୦୦ରୁ ଅଧିକ ଯୁବକ ଯୁବତୀ ସୀମାଞ୍ଚଳଙ୍କ ଠାରୁ ତାଲିମ ନେବା ପରେ ସେନା ବାହିନୀରେ ସାମିଲ ହୋଇଛନ୍ତି ।
ସୀମାଞ୍ଚଳ ଦୀର୍ଘ ୨୦ ବର୍ଷ ୭ ମାସ ଧରି ସେନା ବାହିନୀରେ କାମ କରିବା ପରେ ଏବେ ଅବସର ନେଇଛନ୍ତି । କିନ୍ତୁ ମନରେ ରହିଥିବା ଦେଶ ମାତୃକାର ସେବା ମନୋଭାବ ତାଙ୍କୁ ଆହୁରି ଆଗକୁ ବଢ଼ାଇବାରେ ସାହାର୍ଯ୍ୟ କରିଛି । ବ୍ରହ୍ମପୁର ଏମକେସିଜି ମେଡ଼ିକାଲ ଖେଳ ପଡ଼ିଆରେ ସକାଳ ହେଲେ ପହଞ୍ଚି ଯାଆନ୍ତି ଶହ ଶହ ଯୁବକ ଯୁବତୀ । ପ୍ରଥମେ କିଛ ସମୟ ପର୍ଯ୍ୟନ୍ତ ଦୌଡ଼ିବା ପରେ ଆରମ୍ଭ ହୋଇଥାଏ ସେନା ବାହିନୀର ତାଲିମ । ଗୋଟିଏ ପରେ ଗୋଟିଏ ଫର୍ମରେ ତାଲିମ ପ୍ରଦାନ କରିଥାନ୍ତି ସୀମାଞ୍ଚଳ ।
‘‘ମାତ୍ର ଦେଢ଼ ବର୍ଷ ହେଲା ସେ ଏଭଳି ତାଲିମ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ତାଙ୍କଠାରୁ ତାଲିମ ନେଉଛନ୍ତି ପ୍ରାୟ ୫୦୦ ଛାତ୍ରଛାତ୍ରୀ । ସେନା ବାହିନୀରେ ଯୋଗ ଦେବା ନିମନ୍ତେ ପୂର୍ବ ଅପେକ୍ଷା ବର୍ତ୍ତମାନ ଅଧିକ ଛାତ୍ରଛାତ୍ରୀ ମାନେ ଆଗ୍ରହ ପ୍ରକାଶ କରୁଛନ୍ତି । ଲିଖିତ ପରୀକ୍ଷାରେ ସଫଳ ହେଉଥିବା ବେଳେ ଶାରୀରିକ ପରୀକ୍ଷା ସଫଳ ହେଉନାହାଁନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ସେନା ବାହିନୀରେ ସାମିଲ ନିମନ୍ତେ ଆଶା ରଖିଥିବା ଯୁବକ ଯୁବତୀଙ୍କୁ ଏଭଳି ମାଗଣା ତାଲିମ ପ୍ରଦାନ କରୁଛନ୍ତି । ସେନା ବାହିନୀରେ ସାମିଲ ନିମନ୍ତେ ତାଲିମ ସହ ଓଜନ କମାଇବା ନିମନ୍ତେ ସ୍ବତନ୍ତ୍ର ତାଲିମ ଦିଆଯାଉଛି । ସେହିପରି ଆଥଲେଟିକ୍ ୟୋଗାକୁ ନେଇ ମଧ୍ୟ ତାଲିମ ଯୁବକ ଯୁବତୀ ମାନେ ନେଉଛନ୍ତି । କମ ସମୟରେ ଯୁବକ ଯୁବତୀ ମାନେ ତାଲିମ ନେଇ ସେନା ବାହିନୀରେ ନିକଟରେ ୧୦୯ ଜଣ ଯୁବକ ଯୁବତୀ ମାନେ ସାମିଲ ହୋଇପାରିଛନ୍ତି । ଯାହାକି ଏକ ଗର୍ବର କଥା,‘‘ ସେନାବାହିନୀର ତାଲିମ ଦେଉଥିବା ସୀମାଞ୍ଚଳ ବାରିକ ।
‘‘ସୀମାଞ୍ଚଳ ଏଭଳି ସେନା ବାହିନୀରେ ସାମିଲ ପାଇଁ ମାଗଣାରେ ତାଲିମ ଦେଉଥିବା ନେଇ ବିଭିନ୍ନ ମାଧ୍ୟମରେ ସୂଚନା ପାଇବା ପରେ ସ୍ବତଃପ୍ରବୃତ୍ତ ଭାବେ ଯୁବକ ଯୁବତୀ ମାନେ ଖେଳ ପଡ଼ିଆ ନିକଟକୁ ଆସିଥାନ୍ତି । ନା ସେମାନଙ୍କର କୌଣସି ପ୍ରକାରର ଜଏନିଂ ଫିସ ରହିଛି ନା ଅନ୍ୟ କିଛି ଫିସ । ମାଗଣାରେ ସେନା ବାହିନୀର ଟ୍ରେନିଂ ପାଇବା ପରେ ଯେଉଁ ଆଶା ନେଇ ସୀମାଞ୍ଚଳଙ୍କ ନିକଟକୁ ଆସି ତାଲିମ ନେଉଛନ୍ତି ତାହା ସଫଳ ହେବ,‘‘କହିଛନ୍ତି ସୀମାଞ୍ଚଳଙ୍କ ଠାରୁ ତାଲିମ ନେଉଥିବା ଯୁବତୀ ଜୋତ୍ସ୍ନା ।
‘‘ସେନା ବାହିନୀରେ ସାମିଲ ହେବା ନିମନ୍ତେ ସୀମାଞ୍ଚଳଙ୍କ ଏହି ମାଗଣା ତାଲିମରେ କେବଳ ଯେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଯୁବକ ଯୁବତୀ ଆସୁଛନ୍ତି ତାହା ନୁହେଁ । ବରଂ ବାହାର ରାଜ୍ୟର ମଧ୍ୟ ବହୁ ଯୁବକ ଯୁବତୀ ବ୍ରହ୍ମପୁରକୁ ଆସି ସୀମାଞ୍ଚଳଙ୍କ ଠାରୁ ତାଲିମ ନେଇଥାନ୍ତି । ଦୀର୍ଘ ଦିନ ଧରି ତାଲିମ ନେବା ପରେ ଶରୀରରେ ହୋଇଥିବା ବିକାଶ ଓ ଶାରୀରୀକ ସୁସ୍ଥତାକୁ ନେଇ ବେଶ ଖୁସୀ ପ୍ରକାଶ କରିଛନ୍ତି ଯୁବକ ଯୁବତୀମାନେ । ମାଗଣାରେ ଏଭଳି ସେନା ବାହିନୀର ତାଲିମ ଦେବା ଅତ୍ୟନ୍ତ ବିରଳ । ଏଭଳି କାର୍ଯ୍ୟ ସୀମାଞ୍ଚଳ କରୁଥିବା ଯୋଗୁଁ ସେ ଧନ୍ୟବାଦର ପାତ୍ର,’’ କହିଛନ୍ତି ଦିଲ୍ଲୀରୁ ଆସିଥିବା ଯୁବକ ଚରଣଜିତ୍ ସିଂ ।
କେବଳ ଯେ ସେନାବାହିନୀରେ ଭର୍ତ୍ତି ନିମନ୍ତେ ଯୁବକ ଯୁବତୀଙ୍କୁ ସୀମାଞ୍ଚଳ ତାଲିମ ଦେଉଛନ୍ତି ତାହା ନୁହେଁ ବରଂ ଓଜନ କମାଇବା ଠାରୁ ଆରମ୍ଭ କରି ଅନ୍ୟ ରୋଗରୁ କିଭଳି ଭାବେ ନିଜ ଶରୀରକୁ ଦୂରରେ ରଖାଯାଇପାରିବ ସେ ନେଇ ମଧ୍ୟ ତାଲିମ ଦେଉଛନ୍ତି । ସୀମାଞ୍ଚଳଙ୍କ ଏଭଳି ମାଗଣା ତାଲିମକୁ ନେଇ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସା କରାଯାଉଛି ।