ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ବହୁ ପୁରାତନ ମଠମନ୍ଦିର ନାଁରେ ରହିଛି ବିପୁଳ ପରିମାଣର ଭୂସମ୍ପତ୍ତି। ହେଲେ ଉପାସରେ ରହୁଛନ୍ତି ଠାକୁର। ଅର୍ଥ ଅଭାବରୁ ନୀତିକାନ୍ତି ବି ଠିକ୍ ଭାବେ ହୋଇପାରୁନି। ସାରା ଜିଲ୍ଲାରେ ଠାକୁରଙ୍କର ପାଖାପାଖି ୪୪ ହଜାର ୫୦୦ ଏକର ଜମି ଜବରଦଖଲରେ ଅଛି। ମଝିରେ ମଝିରେ ପ୍ରଶାସନ ଜବରଦଖଲ ଉଚ୍ଛେଦ ପାଇଁ ଚେଇଁ ଉଠୁଛି। ଉଚ୍ଛେଦ ପାଇଁ ମାଜିଷ୍ଟ୍ରେଟ୍ ଓ ପୁଲିସ ପ୍ରସ୍ତୁତ ହେଉଥିବା ବେଳେ ପୁଣି ଏହାକୁ ରୋକି ଦିଆଯାଉଛି। ଠାକୁର ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ପ୍ରଶାସନ ପଛଘୁଞ୍ଚା ଦେବା ପଛରେ ରାଜନୈତିକ ଚାପ ଥିବା ଚର୍ଚ୍ଚା ହେଉଛି। ଏ ସଂପର୍କରେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି। ବାରିପଦାରେ ଦେବୋତ୍ତର ଜମି ଉପରେ ଠିଆ ହୋଇଛି ୩ ମହଲା ପୁଲିସ କ୍ବାର୍ଟର୍ସ। ପାଣି ଭଳି ଟଙ୍କା ଖର୍ଚ୍ଚ ହୋଇ ଏହି କୋଠା ନିର୍ମାଣ ହୋଇଥିବାରୁ ପ୍ରଶାସନ ଏହାକୁ ଭାଙ୍ଗିବାକୁ ଚାହୁଁନାହିଁ। ଏହି କୋଠା ଭଙ୍ଗାଗଲେ ଜିଲ୍ଲା ପ୍ରଶାସନକୁ ରାଜ୍ୟ ସରକାରଙ୍କ ପାଖରେ ଉତ୍ତରଦାୟୀ ହେବାକୁ ପଡ଼ିବ। ତେଣୁ ପ୍ରଶାସନ ଉଚ୍ଛେଦ ବାଟରେ ନିଜେ କଣ୍ଟା ସାଜିଥିବା କୁହାଯାଉଛି।
