ରାଜନୈତିକ ଶତ୍ରୁତା ଯୋଗୁଁ ୨ ଜଣଙ୍କୁ ହତ୍ୟା; ତଦନ୍ତ କରୁଛି ପୋଲିସ

Spread the love

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ପାଳଝଡ଼ି ଗାଁ ନିକଟରେ ଡ଼ବଲ୍‌ ମର୍ଡ଼ର । ରାଜନୈତିକ କାରଣ ଯୋଗୁଁ ଡ଼ବଲ ମର୍ଡ଼ର ହୋଇଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ । ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପରିବାର ଲୋକେ ଦାବି କରିଛନ୍ତି । ବ୍ରହ୍ମପୁର ଅତିରିକ୍ତ ଏସପିଙ୍କ ନେତୃତ୍ବରେ ଏକ ଟିମ୍‌ ଗଠନ କରାଯାଇଥିବା ବେଳେ ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ବୋଲି କହିଛନ୍ତି ବ୍ରହ୍ମପୁର ଏସପି ।

ନିର୍ମମ, ବିଭତ୍ସ ଓ ଅମାନବୀୟ ହତ୍ୟାକାଣ୍ଡ । ଏଭଳି ହତ୍ୟାକାଣ୍ଡ ହୋଇଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚଷା ନିମଖଣ୍ଡି ପଞ୍ଚାୟତର ପାଳଝଡ଼ି ଗାଁ ନିକଟରେ । ଜଣଙ୍କୁ ହତ୍ୟା କରିନାହାଁନ୍ତି ବରଂ ଡ଼ବଲ ମର୍ଡ଼ର କରି ଫେରାର ହେବାର ସକ୍ଷମ ହୋଇଛନ୍ତି ଦୁବୃର୍ତ୍ତ । କେବଳ ଏତିକି ନୁହେଁ ବରଂ ହତ୍ୟା କରିବା ପରେ ସେମାନଙ୍କ ଠାରୁ ମୋବାଇଲ ଓ ସୁନା ଗହଣାକୁ ମଧ୍ୟ ଲୁଟି ନେଇଛନ୍ତି । ଏଭଳି ଏକ ଲମହର୍ଷଣକାରୀ ଡ଼ବଲ ମର୍ଡ଼ରେ ମୃତ୍ୟୁ ବରଣ କରିଛନ୍ତି ପାଳଝଡ଼ି ଗାଁର ସୁଧିର ପାତ୍ର ଓ ସୁଦର୍ଶନ ସୁଆର । ଗତକାଲି ସନ୍ଧ୍ୟା ସମୟରେ ସୁଧିର ଓ ସୁଦର୍ଶନ ଏକ ଭୋଜି ସାରିବା ପରେ ବୈଠକରେ ଯୋଗ ଦେଇଥିଲେ । ବୈଠକରୁ ଘରକୁ ଫେରିବା ସମୟରେ ପାଳଝଡ଼ି ନିକଟରେ ରହିଥିବା ଏକ ରାସ୍ତାରେ ତାଙ୍କୁ କିଛି ଦୁବୃର୍ତ୍ତ ଆକ୍ରମଣ କରିଥିଲେ । କିଛି ସମୟ ପରେ ସ୍ଥାନୀୟ ବାସିନ୍ଦା ଚିତ୍କାର ଶୁଣି ଘଟଣା ସ୍ଥଳରେ ପହଞ୍ଚିଥିଲେ । ଉଭୟଙ୍କୁ ପ୍ରଥମେ ଦିଗପହଣ୍ଡି ମେଡ଼ିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୁଦର୍ଶନ ସୁଆରଙ୍କୁ ମୃତ ଘୋଷଣା କରିଥିଲେ ଡ଼ାକ୍ତର । ଏହାପରେ ସୁଧୀରଙ୍କୁ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ଆଣିବା ରାସ୍ତାରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା ।

‘‘ଡ଼ବଲ ମର୍ଡ଼ର ରାଜନୈତିକ କାରଣ ଯୋଗୁଁ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ପ୍ରାୟ ୫ରୁ ଅଧିକ ଦୁବୃର୍ତ୍ତ ଆସି ଉଭୟଙ୍କୁ ମାରଣାସ୍ତ୍ର ଓ ପଥରରେ ଛେଚି ହତ୍ୟା କରିଛନ୍ତି । ଯାହାଫଳରେ ଉଭୟଙ୍କ ଶରୀରରେ ଧାରୁଆ ଅସ୍ତ୍ରର ଚିହ୍ନ ରହିବା ସହିତ ମୁଣ୍ଡରେ ମଧ୍ୟ ଗଭୀର ଆଘାତ ଲାଗିଛି । ତେଣୁ ଘଟଣାର ସଠିକ ଭାବେ ତଦନ୍ତ କରି ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ନ୍ୟାୟ ପ୍ରଦାନ କରନ୍ତୁ,‘‘କହିଛନ୍ତି ସୁଧୀରଙ୍କ ସମର୍କୀୟ ବଦ୍ରି ନାରାୟଣ ସୁଆର ।

‘‘ସୁଦର୍ଶନ ବିଜୟ ସରପଞ୍ଚଙ୍କ ପାଇଁ କାମ କରୁଥିଲେ । ପୂର୍ବରୁ ପରାଜିତ ସରପଞ୍ଚ ପ୍ରାର୍ଥୀ ସୁଦର୍ଶନଙ୍କ ଘରକୁ ଆସି ଗଣ୍ଡଗୋଳ କରିଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ଧମକ ମଧ୍ୟ ଦେଇଥିଲେ । ତେଣୁ ତାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ ଅଣାଯାଇ ତଦନ୍ତ କରାଯାଉ,’’ କହିଛନ୍ତି ମୃତ ସୁଦର୍ଶନଙ୍କ ଭାଇ ।

ଡ଼ବଲ ମର୍ଡ଼ର ନେଇ ସୂଚନା ପାଇବା ପରେ ଗତକାଲି ବିଳମ୍ବିତ ରାତିରେ ଘଟଣାସ୍ଥଳରେ ପହଞ୍ଚିଥିଲା ଦିଗପହଣ୍ଡି ଥାନା ପୋଲିସ । ଗତକାଲି ବିଳମ୍ବିତ ରାତିରେ ତଦନ୍ତ ଆରମ୍ଭ କରାଯାଇଥିବା ବେଳେ ଆଜି ସକାଳେ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁରର ସହାୟତାରେ ତଦନ୍ତ ଆଗକୁ ବଢ଼ାଯାଇଥିଲା । ଘଟଣାସ୍ଥଳରୁ କିଛି ରକ୍ତ ଲାଗିଥିବା ପଥର, ଚପଲ ସହ ଅନ୍ୟ କିଛି ସାମଗ୍ରୀକୁ ଜବତ କରାଯାଇଛି । ସେପଟେ ବ୍ରହ୍ମପୁର ଏମକେସସିଜି ମେଡ଼ିକାଲରେ ଉଭୟଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯାଇଛି ।

‘‘ବ୍ରହ୍ମପୁର ଅତିରିକ୍ତ ଏସପିଙ୍କୁ ନେତୃତ୍ବରେ ଏକ ଟିମ୍‌ ଗଠନ କରାଯାଇଛି । ଯେହେତୁ ଡ଼ବଲ ମର୍ଡ଼ର ହୋଇଛି ତେଣୁ ଘଟଣାକୁ ଅଧିକ ଗୁରୁତର ସହିତ ନିଆଯାଇ ତଦନ୍ତ କରାଯାଉଛି। ହତ୍ୟା କରାଯିବା ପରେ ଲୁଟ ହୋଇଥିବା ନେଇ ମଧ୍ୟ ଅଭିଯୋଗ ହେବା ଯୋଗୁଁ ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଉଥିବା ବେଳେ ଖୁବଶୀଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବା ସହିତ ଡ଼ବଲ ମର୍ଡ଼ର ପଛର କାରଣ ଜଣାପଡ଼ିବ,‘‘ କହିଛନ୍ତି ବ୍ରହ୍ମପୁର ଏସପି ପୀନାକ ମିଶ୍ର ।

Leave a Reply

Your email address will not be published.