ପୋଲିସକୁ ବାନ୍ଧିଲା ପୋଲିସ; ଦିଲ୍ଲୀରୁ ଆସି ଭୁବନେଶ୍ୱରରେ ନେଉଥିଲେ ଲାଞ୍ଚ

Spread the love

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଦିଲ୍ଲୀ ଇଓଡବ୍ଲ୍ୟର ଜଣେ କନେଷ୍ଟବଳ ଲାଞ୍ଚ ନେବା ବେଳେ ଗିରଫ କରିଛି ଭୁବନେଶ୍ୱର ସିବିଆଇ। ଦିଲ୍ଲୀରୁ ଲାଞ୍ଚ ନେବାକୁ ଭୁବନେଶ୍ବରକୁ ଆସିଥିବା ଦିଲ୍ଲୀ ଇଓଡବ୍ଲ୍ୟୁର କନଷ୍ଟେବଳ ୨ଲକ୍ଷ ଲାଞ୍ଚ ନେବା ସମୟରେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନିକଟରୁ ଗିରଫ ହୋଇଛନ୍ତି। ଗିରଫ ପରେ ତାଙ୍କ ନିକଟରୁ ୨ ଲକ୍ଷ ଟଙ୍କା ଜବତ କରାଯିବା ସହ ସିବିଆଇ ମାମଲା ରୁଜ୍ଜୁ କରାଯାଇଛି।

ସିବିଆଇ ସୂତ୍ରରୁ ମିକିଥିବା ସୂଚନା ଅନୁସାରେ, ଭୁବନେଶ୍ୱରର ଏକ ଗଣମାଧ୍ୟମ ସଂସ୍ଥାର ସାମ୍ବାଦିକ ମନୋଜ ସେଠ୍ ଯୋଗୀ ଆଦିତ୍ୟନାଥଙ୍କ ନାଁରେ ନକଲି ମେଲ୍ ଆଇଡି ଖୋଲି ବିଭିନ୍ନ ବଡ଼ ବଡ଼ ସଂସ୍ଥାକୁ ବ୍ଲାକମେଲ୍ କରୁଥିଲା । ଆଉ ସେମାନଙ୍କ କମ୍ପାନୀକୁ ବନ୍ଦ କରିବାକୁ ଧମକ ଦେଇ ବିଜ୍ଞାପନ ଜରିଆରେ ୨୦୧୬ ମସିହାରେ ୧୦କୋଟି ଟଙ୍କା ହଡ଼ପ କରିଥିବା ନେଇ ଦିଲ୍ଲୀ ଇଓଡବ୍ଲ୍ୟ ପାଖରେ ଅଭିଯୋଗ ହୋଇଥିଲା। ଦିଲ୍ଲୀ EOW ପାଖରେ ଅଭିଯୋଗ ହେବା ପରେ ଗତ ଜାନୁଆରି ୨୩ ତାରିଖରେ ଖାରବେଳନଗର ଥାନା ପୁଲିସ ସହାୟତାରେ ତଦନ୍ତକାରୀ ଅଧିକାରୀ ସଜ୍ଜନ ସିଂହ ଯାଦବ ରାଜଧାନୀରୁ ଠକ ସାମ୍ବାଦିକକୁ ଗିରଫ କରିଥିଲେ। ତଦନ୍ତ ବେଳେ ମନୋଜ ତାଙ୍କର ସହଯୋଗୀ ଉଦୟନାଥ ସାହୁଙ୍କୁ EOW ତଦନ୍ତରେ ସହଯୋଗ କରିବା ପାଇଁ ଧାରା ୧୬୧ରେ ନୋଟିସ୍ କରିଥିଲା। ପରେ ଉଦୟ ଦିଲ୍ଲୀ ଇଓଡବ୍ଲୁରେ ହାଜର ହୋଇ ସମସ୍ତ ତଥ୍ୟ ପ୍ରମାଣ ଦେଖାଇଥିଲେ। ତଦନ୍ତ ଅଧିକାରୀ ଶ୍ରୀ ଯାଦବ ଚାର୍ଜସିଟରେ ଦ୍ବିତୀୟ ସାକ୍ଷୀ ଭାବେ ଉଦୟଙ୍କୁ ତାଲିକାରେ ରଖିଥିଲେ।

ଉଦୟ ସାହୁ କହିଛନ୍ତି,”ତଦନ୍ତରେ ସହଯୋଗ କରିବା ସତ୍ତ୍ୱେ ଇନ୍ସପେକ୍ଟର ସଜ୍ଜନ ତାଙ୍କୁ ଗିରଫ କରିବେ ବୋଲି ଧମକାଇଥିଲେ। ସେ ନିର୍ଦୋଷ ସତ୍ତ୍ୱେ ମନୋଜଙ୍କ ସହ ମିଶି ମୁଖ୍ୟମନ୍ତ୍ରୀଙ୍କ ନାଁରେ ୧୦ କୋଟି ଆଦାୟ କରିବାରେ EOW ଅଧିକାରୀ ସଜ୍ଜନ ତାଙ୍କୁ ଫସାଇବାକୁ ଚେଷ୍ଟା କରିଥିଲେ। ଏହି ମାମଲାରେ ରଫାଦଫା ପାଇଁ ତାଙ୍କୁ ସାଢେ ୪ଲକ୍ଷ ଟଙ୍କା ମାଗିଥିଲେ। ଟଙ୍କା ନଦେଲେ ଉକ୍ତ ମାମଲାରେ ତାଙ୍କ ଅଭିଯୁକ୍ତ ଦର୍ଶାଇ କୋର୍ଟରେ ଚାର୍ଜସିଟ ଦାଖଲ କରିବେ ବୋଲି କହିଥିଲେ। ଏପରିକି ଭୁବନେଶ୍ବର ଆସି ଉଦୟନାଥଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଧମକଚମକ ଦେଇଥିଲେ”।

ଉଦୟନାଥଙ୍କ ଟଙ୍କା ଦେବାକୁ ରାଜି ହବାପରେ ୨୪ ତାରିଖରେ ଭୁବନେଶ୍ୱରରେ ପହଞ୍ଚି ଟଙ୍କା ନେଇଯିବାକୁ ଡିଲ ହୋଇଥିଲା । ହେଲେ ଅଭିଯୋଗକାରୀ ଉଦୟ ଏନେଇ ସିବିଆଇ ନିକଟରେ ଗତ ଗୁରୁବାର ଅଭିଯୋଗ କରିଥିଲେ। ସେହି ଅଭିଯୋଗ ଅଧାରରେ ରବିବାର ଟଙ୍କା ପାଇଁ ଆସିଥିବା EOW ର କନେଷ୍ଟବଳ ଅମିତ ଲାହୁଚା ଭୁବନେଶ୍ବରସ୍ଥିତ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଘଟଣାରେ ଦ୍ବିତୀୟ ସାକ୍ଷୀ ପଡ଼ିଥିବା ଉଦୟ କୁମାର ସାହୁଙ୍କ ଠାରୁ ସାଢ଼େ ୪ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇର ଏକ ଟିମ୍ ତାଙ୍କୁ ଗିରଫ କରିଛି। ଏହା ସହିତ ଇନ୍ସପେକ୍ଟର ସଜନଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ମଧ୍ୟ ସିବିଆଇ ଚଢ଼ଉ କରି ତାଙ୍କୁ ଗିରଫ କରିଥିବା ଜଣା ପଡ଼ିଛି ।

Leave a Reply

Your email address will not be published.