ଭୁବନେଶ୍ବର: ନବ ନିର୍ବାଚିତ ମେୟର ଓ ପୌରାଧକ୍ଷଙ୍କୁ ପାଠ ପଢ଼ାଇଲେ ମୁଖ୍ୟମନ୍ତ୍ରୀ। ଶିଖାଇଲେ ପୌର ଶାସନ ପ୍ରଣାଳୀ। ଲୋକସେବା ଭବନରେ ଆୟୋଜିତ ଦୁଇ ଦିନିଆ କର୍ମଶାଳକୁ ଉଦଘାଟନ କରି ଲୋକଙ୍କ ସାଥିରେ ରହିବାକୁ ପରାମର୍ଶ ଦେଇଛନ୍ତି। 5T ଜରିଆରେ ଲୋକଙ୍କୁ ଉତ୍ତମ ସେବା ଯୋଗାଇ ଦେବା ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଲୋକଙ୍କ ସାଥିରେ
ରୁହ, ଲୋକଙ୍କ ସମସ୍ୟା ସମାଧାନ ଦିଗରେ ଗୁରୁତ୍ୱ ଦିଅ ବୋଲି କହିଛନ୍ତି। ନିଜ ନିଜ ସହରକୁ ଶ୍ରେଷ୍ଠ କରିବା ପାଇଁ ନେତୃତ୍ୱ ନିଅ। ନବ ନିର୍ବାଚିତ ମେୟର ଓ ପୌରାଧ୍ୟକ୍ଷଙ୍କୁ ସୋମବାର ଏଭଳି ବାର୍ତ୍ତା ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଦୁଇ ଦିନିଆ କର୍ମଶାଳା। ଲୋକସେବା ଭବନରେ ଆୟୋଜିତ ପୌର ଶାସନ ପ୍ରଣାଳୀ ଓ ଉନ୍ନୟନ ପଦ୍ଧତି ଶୀର୍ଷକ କର୍ମଶାଳାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଉଦବୋଧନ ଦେଇ କହିଛନ୍ତି ଜାଗା ମିଶନ ବିକାଶ ମୁଖ୍ୟ ଦେଶ ମାନଙ୍କ ପାଇଁ ଏକ ମଡେଲ। ଟ୍ୟାପ ରୁ ବିଶୁଦ୍ଧ ପିଇବା ପାଣି ଯୋଗାଣ ସୁଜଳ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାରେ ଓଡ଼ିଶା ଏକ ମାତ୍ର ରାଜ୍ୟ। ଏହି ଦୁଇ ଯୋଜନା ବାଦ ବର୍ଜ୍ୟ ବସ୍ତୁ ପରିଚାଳନା, ମୁକ୍ତା ଯୋଜନା, ଆହାର ଓ ସ୍ମାର୍ଟ ଏଲ.ଇ.ଡି. ଲାଇଟ ଭଳି ସରକାରଙ୍କ ଫ୍ଲାଗସିପ କାର୍ଯ୍ୟକ୍ରମ ବାବଦରେ ଅବଗତ କରିଥିଲେ।
ଲୋକ ଯୋଜନାରେ କିପରି ସୁବିଧା ପାଇବେ ସେ ନେଇ ନବ ନିର୍ବାଚିତ ମେୟର ଓ ପୌରାଧ୍ୟକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଏଯାଏ ୧ ଲକ୍ଷ ୭୫ ହଜାର ପରିବାରକୁ ଭୂମ ଅଧିକାର ଦିଆଯାଇଥିବାବେଳ ୫୮୫ ବସ୍ତିକୁ ଆଦର୍ଶ ବସ୍ତିରେ ପରିଣତ କରାଯାଇଛି। ପୁରୀରେ ସୁଜଳ କାର୍ଯ୍ୟକ୍ରମରେ ଟ୍ୟାପରୁ ବିଶୁଦ୍ଧ ପିଇବା ପାଣି ମିଳୁଥିବା ଅନ୍ୟ ୨୦ଟି ସହରରେ କାର୍ଯ୍ୟ ଜାରି ରହିଛି। ସହରର ଗରିବ ଓ ମାଇଗ୍ରାଣ୍ଟ ଶ୍ରମିକଙ୍କ ପାଇଁ ମୁକ୍ତା ଯୋଜନା ଜାରି ରହିଥିବା ବେଳେ ବଜେଟରେ ୫୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ପରିମଳ ବ୍ୟବସ୍ଥା, ବର୍ଜ୍ୟ ବସ୍ତୁ ପରିଚାଳନା ଉପରେ ଗୁରୁତ୍ୱ ଦେବା ସହ 5T ଜରିଆରେ ଲୋକଙ୍କୁ ସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଛନ୍ତି। କର୍ମଶାଳା ଦୁଇଦିନ ଧରି ଚାଲିବାକୁ ଥିବାବେଳେ ନୂଆ ନେତୃତ୍ୱ ଓ ନୂଆ ପରିଚାଳନା କୌଶଳ ପୌର ସେବାକୁ ନୂଆ ଦିଶା ଦେବ ବୋଲି ଆଶା କରାଯାଉଛି।
ସେପଟେ ଭୁବନେଶ୍ୱର ମେୟର ସୁଲୋଚନା ଦାସ କହିଛନ୍ତି,”ସୋମବାରଠାରୁ ଦୁଇ ଦିନିଆ କର୍ମଶାଳା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମକୁ ଉଦଘାଟନ କରି ସହରାଞ୍ଚଳରେ ଚାଲିଥିବା ସରକାରଙ୍କ ବିଭିନ୍ନ ଫ୍ଲାଗସିପ କାର୍ଯ୍ୟକ୍ରମ ବାବଦରେ ଅଵଗତ କରିଛନ୍ତି। କିଛି ପରାମର୍ଶ ବି ଦେଇଛନ୍ତି। ଯାହାକି ଆଗାମୀ ଦିନରେ ବେଶ ସହାୟକ ହେବ।
ସେହିପରି ମେୟର ସୁବାସ ସିଂ କହିଛନ୍ତି, “ଜାଗା ମିଶନ, ସୁଜଳ, ବର୍ଜ୍ୟ ବସ୍ତୁ ପରିଚାଳନା, ମୁକ୍ତା ଯୋଜନା, ଆହାର ଓ ସ୍ମାର୍ଟ ଏଲ.ଇ.ଡି. ଲାଇଟ ଭଳି ସରକାରଙ୍କ ଫ୍ଲାଗସିପ କାର୍ଯ୍ୟକ୍ରମ ବାବଦରେ ଅବଗତ କରିଥିଲେ ମୁଖ୍ୟମନ୍ତ୍ରୀ।’’
ଲୋକେ ଯୋଜନାରେ କିପରି ସୁବିଧା ପାଇବେ ସେ ନେଇ ପରାମର୍ଶ ଦେଇଥିବା ବେଳେ ଆଗକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକୁ ଆଧାର କରି ଆଗକୁ ବଢ଼ିବୁ ବୋଲି ସେ କହିଛନ୍ତି। କର୍ମଶାଳାରେ ଉଦବୋଧନ ଦେଇ ନଗର ଉନ୍ନୟନ ପଞ୍ଚାୟତି ରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ରାଜ୍ୟ ସରକାରଙ୍କ ବିଭିନ୍ନ ସହରାଞ୍ଚଳ ବିକାଶ କାର୍ଯ୍ୟକ୍ରମକୁ ସଫଳ ଭାବରେ କାର୍ଯ୍ୟକାରି କରିବା ଦିଗରେ ନିଷ୍ଠାପର ଉଦ୍ୟମ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥି ଭାତ ନାନ ଓ ପୌର ନିର୍ଦ୍ଦେଶକ ସଂଗ୍ରାମଜୀତ ନାୟକ ପ୍ରମୁଖ ଯୋଗ ଦେଇଥିଲେ।