ଭୁଲ ବହି ବିକ୍ରି ମାମଲାରେ ଭୁବନେଶ୍ୱର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ

Spread the love

ଭୁବନେଶ୍ବର: ଓଡ଼ିଶା ଅଭିଭାବକ ମହାସଙ୍ଘ, ଭୁବନେଶ୍ୱର ଜିଲ୍ଲା ତରଫରୁ ସିବିଏସଇ ଅନୁମୋଦିତ ସମସ୍ତ ଘରୋଇ ସ୍କୁଲରେ ଏନସିଇଆରଟି ପାଠ୍ୟକ୍ରମ କିମ୍ବା ଏନସିଆରିର ବହି ବ୍ୟବହାର କରି ପାଠ ପଢ଼ାଇବା ତଥା ଯେଉଁ ଘରୋଇ ସ୍କୁଲ ନିୟମ ଭଙ୍ଗ କରି ବେଆଇନ ଭାବେ ଭୁଲ ବହି ବିକ୍ରି କରିଛନ୍ତି, ସେହି ବହି ଫେରସ୍ତ କରି ଏନସିଇଆରଟି ବହିରେ ପାଠ ପଢ଼ାଇବା ସହ ସମ୍ପୃକ୍ତ ସ୍କୁଲର ସ୍ୱୀକୃତି ପ୍ରତ୍ୟାହାର ପାଇଁ ବୁଧବାର ଭୁବନେଶ୍ୱର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରାଯାଇଥିଲାl

ପ୍ରକାଶ ଥାଉ କି ଦେଶର ସମସ୍ତ ସ୍କୁଲରେ ଜାତୀୟ ସ୍ତରରେ ଏନସିଇଆରଟି ଓ ରାଜ୍ୟରେ ବିଭିନ୍ନ ଭାଷାରେ ରାଜ୍ୟ ସ୍ତରରେ ଏସସିଇଆରଟି ପାଠ୍ୟକ୍ରମ ଅନୁମୋଦିତ ପାଠ୍ୟ ପୁସ୍ତକ ବ୍ୟବହାର କରି ପାଠ ପଢ଼ାଇବା ପାଇଁ ସ୍ପଷ୍ଟ ନିୟମ ସହିତ ବିଭିନ୍ନ ସମୟରେ ଏନସିପିସିଆର, କେନ୍ଦ୍ର ମାନବ ସମ୍ବଳ ବା ଏବେର ଶିକ୍ଷା ବିଭାଗ, ମାନ୍ୟବର ଉଚ୍ଚତମ ନ୍ୟାୟାଳୟ, ଉଚ୍ଚ ନ୍ୟାୟାଳୟ, ମାନବାଧିକାର କମିଶନ ଓ ବିଶେଷ କରି ରାଜ୍ୟ ଗଣଶିକ୍ଷା ବିଭାଗର ମଧ୍ୟ ସମସ୍ତ ସ୍କୁଲ ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ରହିଛିl

ଏହି କ୍ରମରେ ଗତ ମାସ ୨୨ ତାରିଖରେ ମହାସଙ୍ଘ ସମାନ ଦାବି ନେଇ ନତାଲା ସମ୍ମୁଖରେ ଅନଶନ ପରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ରାଜ୍ୟରେ ସବୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ବ୍ୟକ୍ତିଗତ ଭାବେ ଏହି ନିର୍ଦ୍ଦେଶକୁ ତଦାରଖ କରି କାର୍ଯ୍ୟକାରୀ କରିବାକୁ ଚିଠି ଲେଖି ନିର୍ଦ୍ଦେଶନାମା ଜlରି କରିଥିଲେ। ଏହା ବ୍ୟତୀତ ଶିକ୍ଷା ଅଧିକାର ଆଇନ ୨୦୦୯ ଧାରା ୨୯, ସଂଶୋଧିତ ଜୁଭେନାଇଲ ଜଷ୍ଟିସ ଆଇନ ୨୦୧୫ ଅନୁସାରେ ମଧ୍ୟ ଏହି ନିୟମରେ ସ୍କୁଲମାନେ ଏନସିଇଆରଟି ବହିରେ ପାଠ ପଢ଼ାଇବାକୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛିl ହେଲେ ଭୁବନେଶ୍ୱର ଶିକ୍ଷା ଅଧିକାରୀ ଚିଠିକୁ ଚାପି ଧରି ବସି ପଡ଼ିବାରୁ ପ୍ରାଇଭେଟ ସ୍କୁଲମାନେ ବେଆଇନ ଭାବେ ଶହ ଶହ କୋଟି ଟଙ୍କlର ମୁନଫା କରି ବହି ବିକ୍ରି କରିଦେଲେl

ଯାହାଦ୍ୱାରା କି ଅଭିଭାବକମାନେ ଅଯଥାରେ ଆର୍ଥିକ ବୋଝ ସହିବା ସହିତ କୋମଳମତି ପିଲାମାନେ ମଧ୍ୟ ଅଯଥାରେ ଅନାବଶ୍ୟକ ବସ୍ତାନି ବୋଝ ବୋହି ତାଙ୍କର ସ୍ୱାସ୍ଥ୍ୟ ସମସ୍ୟାକୁ ଡାକି ଆଣୁଛନ୍ତି। ଯଦି ନବମ ଠାରୁ ଦ୍ୱାଦଶ ପର୍ଯ୍ୟନ୍ତ ପାଠ ପଢ଼ା ଓ ଜାତୀୟ ତଥା ରାଜ୍ୟରେ ସବୁ ପ୍ରତିଯୋଗିତା ମୂଳକ ପରୀକ୍ଷା ଓ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ, ଆଦର୍ଶ ଆଦି ସବୁ ସ୍କୁଲରେ ପ୍ରଶ୍ନ ଓ ପାଠ ପଢ଼ା ଏନସିଇଆରଟି ବହିରୁ ଆସୁଛି ତେବେ ଏହି ଘରୋଇ ବିଦ୍ୟାଳୟମାନେ କାହିଁକି ଏଥିରୁ ବିଚ୍ୟୁତ ହେଉଛନ୍ତି? ତେଣୁ ଏହି ଅଗଣତାନ୍ତ୍ରିକ ମନୋମୁଖୀ ଭୁଲ ବହି ବିକ୍ରିକୁ ଦୀର୍ଘ ଦିନ ଧରି ଅଭିଭାବକ ମହାସଙ୍ଘ ବିରୋଧ କରି ଆସୁଛିl ଆଗରୁ ମଧ୍ୟ ବହୁ ବାର ଏଥିପାଇଁ ଆନ୍ଦୋଳନ ହୋଇଛିl

ଯେହେତୁ ଗଣଶିକ୍ଷା ବିଭାଗ ମଧ୍ୟ ସ୍କୁଲ ଗୁଡିକୁ ସ୍ୱୀକୃତି ଦେବା ସମୟରେ ଯୋଗ୍ୟତା ତଥ୍ୟ ପ୍ରଦାନର ଅନୁଶାଙ୍କ-୮ରେ ଏନସିଇଆରଟି ପାଠ୍ୟକ୍ରମ ଅନୁମୋଦିତ ବହି ବ୍ୟବହାର ପାଇଁ ସ୍ପଷ୍ଟ ନିୟମ ରହିଛି, ତେଣୁ ବିଇଓ ତାକୁ ତଦାରଖ କରିବା ପାଇଁ ନିୟମ ଅଛି, ମାତ୍ର ସ୍କୁଲ ଓ ବିଭାଗୀୟ ଅଧିକାରୀଙ୍କ ଅସାଧୁ ମେଣ୍ଟ ଏହାକୁ କରାଇଦେଉ ନଥିବାରୁ ମହାସଙ୍ଘ ବାରମ୍ବାର ଅଭିଯୋଗ କରିଆସୁଥିଲାl

ମହାସଙ୍ଘର ଏହି ସମସ୍ୟାକୁ ନେଇ ଆନ୍ଦୋଳନ ପରେ ଅପରାହ୍ନରେ ବିଇଓ ପ୍ରଜ୍ଞା ପରିମିତl ଜେନାଙ୍କ ପ୍ରକୋଷ୍ଠରେ ଅଧକ୍ଷ୍ୟ ବାସୁଦେବ ଭଟ୍ଟଙ୍କ ନେତୃତ୍ୱରେ, ସହ ଅଧକ୍ଷ ଭୁମୋହନ ପଟ୍ଟନାୟକ, ଶଙ୍କର ସାମନ୍ତରାୟ, କାର୍ତ୍ତିକ ସାହୁଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ଏହି ଆଇନର ପ୍ରମୁଖ ଖିଲାପକାରୀ ସେଣ୍ଟ ଜୋସେଫ ସ୍କୁଲ, ଜାଭିୟର, ଡିଏଭି, ଭେଙ୍କଟେଶ୍ୱର, ଗୁରୁ ନାନକ, ମଦର ପବ୍ଲିକ ସ୍କୁଲ, ଡିଏମ ପବ୍ଲିକ ସ୍କୁଲ ପରି ଦଶଟି ଖିଲାପକାରୀ ସ୍କୁଲକୁ ବହିର ତଥ୍ୟ ସହ ରିପୋର୍ଟ ମାଗିଛନ୍ତିl

ଯଦି ବେଆଇନ ବହି ବିକ୍ରି କଥା ସତ୍ୟ, ତେବେ ସେହି ବହି ଫେରସ୍ତ କରି ଏନସିଇଆରଟି ବହି ଦେବା ଓ ସ୍ୱୀକୃତି ପ୍ରତ୍ୟାହାର କାହିଁକି କରା ନ ଯିବ ସମ୍ପର୍କିତ ନୋଟିସ ଜାରି କରାଯିବ ବୋଲି ବିଇଓ ପ୍ରତିଶୃତି ଦେବା ପରେ ଅନଶନ ସ୍ଥଗିତ ରହିଛି ବୋଲି ସହ ଅଧକ୍ଷ ପ୍ରସନ୍ନ ବିଶୋଇ କହିଛନ୍ତି l ଭୁବନେଶ୍ୱର ଆବାହକ ପ୍ରଦୀପ୍ତ ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ଆଜିର ଅନଶନରେ ସତ୍ୟଜିତ ଦାଶ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସୁରେଶ ସ୍ବାଇଁ, ବ୍ରଜକିଶୋର ଠକର, ଅଶୋକ ପାଇକରାୟ, ସତ୍ୟବ୍ରତ ପରିଜା, ଆର୍ତତ୍ରାଣ ପାତ୍ର, ସୂର୍ଯ୍ୟନାରାୟଣ, ଅନନ୍ତ ରାଉତ, ତାପସ ଦଶ, ସୁପ୍ରିୟା ପାଣି ଓ ବ୍ରଜରାଜ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେl

Leave a Reply

Your email address will not be published.