କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଏନ୍‌ସିବିର ଚାର୍ଜସିଟ୍‌ ଦାଖଲ: ଶାହରୁଖଙ୍କ ପୁଅକୁ କ୍ଲିନ୍‌ଚିଟ୍‌

Spread the love

ମୁମ୍ବାଇ : କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଏନ୍‌ସିବି (ନା‌ର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ) ଶୁକ୍ରବାର ଦିନ ଚାର୍ଜସିଟ୍‌ ଦାଖଲ କରିଛି। ମାମଲାରେ ବଲିଉଡ୍‌ ଅଭିନେତା ଶାହରୁଖ ଖାନ୍‌ଙ୍କ ପୁଅ ଆରୟନ ଖାନ୍‌ଙ୍କୁ କ୍ଲିନଚିଟ୍‌ ମିଳିଛି। ଆରୟନ ଏବଂ ଅନ୍ୟ ୫ ଜଣଙ୍କ ବି‌ରୋଧରେ ଏହି ମାମଲାରେ ପର୍ଯ୍ୟାପ୍ତ ପ୍ରମାଣ ନଥିବାରୁ ସେମାନଙ୍କୁ ମାମଲାରୁ ଦୋଷମୁକ୍ତ କରାଯାଇଛି ବୋଲି ଏନ୍‌ସିବି ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି। ଏସ୍‌ଆଇଟି ତଦନ୍ତ ଆଧାରରେ ଏନ୍‌ସିବି ପକ୍ଷରୁ ଶୁକ୍ରବାର ଦିନ ଏହି ମାମଲାରେ ୬ ହଜାର ପୃଷ୍ଠାର ଚାର୍ଜସିଟ୍‌ ଦାଖଲ ହୋଇଛି। ଚାର୍ଜସିଟ୍‌ରେ ୧୪ ଅଭିଯୁକ୍ତଙ୍କ ନାମ ରହିଛି। ଆରୟନ୍‌ ଏବଂ ଅନ୍ୟ ୫ ଜଣଙ୍କ ନାମ ଏଥିରେ ନାହିଁ। କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଆରୟନଙ୍କ ସମେତ ମୋଟ୍‌ ୨୦ ଜଣ ଗିରଫ ହୋଇଥିଲେ ଏବଂ ଏହାକୁ ନେଇ ବଡ଼ ଧରଣର ତମ୍ବିତୋଫାନ ହୋଇଥିଲା।ଏକ ବୟାନରେ ଏନ୍‌ସିବି କହିଛି , ଅକ୍ଟୋବର ୨, ୨୦୨୧ରେ ମୁମ୍ବାଇ ଜୋନ୍‌ ମୁଖ୍ୟ ସମୀର ୱାଙ୍ଖଡେଙ୍କ ନେତୃତ୍ବାଧୀନ ଏନ୍‌ସିବି ଟିମ୍‌ ଗୋଆ ଅଭିମୁଖେ ଯାଉଥିବା ଏକ କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟି ହୋଇଥିବା ସୂଚନା ପାଇ ଚଢ଼ଉ କରିଥିଲେ। ଏହି ସମୟରେ ଆରୟନଙ୍କ ସମେତ ୨୦ ଜଣ ଗିରଫ ହୋଇଥିଲେ। କିନ୍ତୁ ଆରୟନ୍‌ ଏବଂ ଅନ୍ୟ ଜଣଙ୍କ ନିକଟରେ ଡ୍ରଗ୍ସ ନଥିଲା। ଏନ୍‌ସିବିର ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ତଦନ୍ତ ଆଧାରରେ ଆରୟନଙ୍କୁ ଏହି ମାମଲାରେ କ୍ଲିନଚିଟ୍‌ ମିଳିଛି। ଆରୟନଙ୍କୁ କ୍ଲିନଚିଟ୍‌ ମିଳିବାପରେ ତାଙ୍କ ଆଇନଜୀବୀ ମୁକୁଲ ରୋହତଗି କହିଛନ୍ତି, ଶେଷରେ ସତ୍ୟୟ ଜୟ ହୋଇଛି। ଆଜି ମୁଁ , ମୋ ମହକିଲ ଏବଂ ଶାହରୁଖ ଖାନ୍‌ ଆଶ୍ବସ୍ତ ହୋଇଛୁ ବୋଲି ସେ କହିଛନ୍ତି।ପ୍ରଥମେ ଏହି ମାମଲାର ତଦନ୍ତ ଏନ୍‌ସିବି ମୁମ୍ବାଇ ଦ୍ବାରା ହୋଇଥିଲା। କିନ୍ତୁ ପରେ ଏନ୍‌ସିବି ମୁଖ୍ୟାଳୟ ନୂଆଦିଲ୍ଲୀର ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳକୁ ଏହି ମାମଲା ହସ୍ତାନ୍ତର କରାଗଲା। ୨୦୨୧ ନଭେମ୍ବର ୬ରେ ଡିଡିଜି ସଂଜୟ କୁମାର ସିଂହଙ୍କ ନେତୃତ୍ବରେ ଗଠିତ ଏସ୍‌ଆଇଟି କ୍ରୁଜ୍‌ ଡ୍ରଗ୍ସ ମାମଲାର ତଦନ୍ତ କରି ଆରୟନଙ୍କୁ କ୍ଲିନଚିଟ୍‌ ପ୍ରଦାନ କରିଛନ୍ତି।

Leave a Reply

Your email address will not be published.