ଦୀର୍ଘ ୬ ଦିନ ଧରି ଚାଲିବ ମା ତାରାତାରିଣୀଙ୍କ ମନ୍ଦିର ପ୍ରତିଷ୍ଠା; ଚାଲିଛି ପ୍ରସ୍ତୁତି

Spread the love

ବ୍ରହ୍ମପୁର: ରାଜ୍ୟର ପ୍ରମୁଖ ଶକ୍ତିପୀଠ ମଧ୍ୟରୁ ଗଞ୍ଜାମ ଜିଲ୍ଲା ମା ତାରାତାରିଣୀଙ୍କ ପୀଠ ଅନ୍ୟତମ । ମାଙ୍କ ମନ୍ଦିରର ଉନ୍ନତିକରଣ ଲାଗି ୨୦୦୪ ମସିହାରୁ ଆରମ୍ଭ ହୋଇଥିଲା କାର୍ଯ୍ୟ। ହେଲେ ଦୀର୍ଘ ବର୍ଷ ଧରି ମନ୍ଦିର କାମ ଚାଲିଥିବା ବେଳେ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ମନ୍ଦିର ପ୍ରତିଷ୍ଠା ତଥା ସଂସ୍କାର କରିବା ଲାଗି ମେ ମାସ ୧୫ ତାରିଖରୁ ୨୦ ତାରିଖ ଦିନ ଧାର୍ଯ୍ୟ କରାଯାଇଛି । ଏନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ରତ୍ନଗିରି ପର୍ବତରେ ଅବସ୍ଥିତ ମାଁ ତାରାତାରିଣୀ ଶକ୍ତିପୀଠ। କେଉଁ ଆବାହନ କାଳରୁ ମା ତାରାତାରିଣୀ ଏଠାରେ ପୂଜା ପାଇ ଆସୁଛନ୍ତି। ଋଷିକୂଲ୍ୟା ନଦୀ ନିକଟରେ ଥିବା ରତ୍ନଗିରି ପର୍ବତରେ ଅତ୍ୟନ୍ତ ମନୋରମ ପରିବେଶରେ ମାଆଙ୍କ ମନ୍ଦିର ଅବସ୍ଥିତ। ବର୍ଷତମାମ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତଙ୍କ ସୁଅ ଛୁଟୁଛି ଏହି ପ୍ରସିଦ୍ଧ ପୀଠକୁ । ତେବେ ମା ମନ୍ଦିର ପୁନରୁଦ୍ଧାର ଓ ଉନ୍ନତିକରଣ ଲାଗି ୨୦୦୪ ମସିହାରେ ଗଠନ କରାଯାଇଥିବା ତାରାତାରିଣୀ ମନ୍ଦିର ଉନ୍ନୟନ ପରିଷଦ । ତେବେ ଏହି ଉନ୍ନୟନ ପରିଷଦ ମାଧ୍ୟମରେ ରାଜ୍ୟ ସରକାର ୨୦୦୪ ମସିହାରୁ କାର୍ଯ୍ୟ ଆରମ୍ଭ ହୋଇଥିଲା ଉନ୍ନତିକରଣ କାର୍ଯ୍ୟ ।

‘‘ବିଭିନ୍ନ କାରଣରୁ ମନ୍ଦିର କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବା ବେଲେ ଦୀର୍ଘ ବର୍ଷ ପରେ ମନ୍ଦିର କାର୍ଯ୍ୟ ଶେଷ ହୋଇଛି । ଏଥିଲାଗି ମନ୍ଦିର ପ୍ରତିଷ୍ଠା କରିବା ଲାଗି ମନ୍ଦିର ସେବାୟତ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ ହୋଇଥିଲା। ଏହି କ୍ରମରେ ଆଜି ଗଞ୍ଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଛତ୍ରପୁରଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମେ ମାସ ୧୫ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ମନ୍ଦିର ପ୍ରତିଷ୍ଠା ଉତ୍ସବ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ମନ୍ଦିର ନୀତିକାନ୍ତି ମନ୍ଦିର ସେବାୟତ ମାନଙ୍କ ଦ୍ୱାରା ହେବାକୁ ଥିବା ବେଳେ ଶାନ୍ତି ଶୃଙ୍ଖଳାର ସହ ପ୍ରତିଷ୍ଠା ଉତ୍ସବ ଶେଷ କରିବା ଲାଗି ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯିବ,’’ କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।

‘‘ମା ତାରାତାରିଣୀଙ୍କ ପୀଠ ରାଜ୍ୟ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଛି । ମନ୍ଦିର ପରିଚାଳନା କମିଟି ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇ ସ୍ୱତନ୍ତ୍ର ପ୍ୟାକେଜ୍ ମାଧ୍ୟମରେ ବିଭିନ୍ନ ବିକାଶ ମୁଳକ କାର୍ଯ୍ୟ ମଧ୍ୟ ତ୍ୱରାନିତ କରାଯାଉଛି । ବର୍ତ୍ତମାନ ମାଙ୍କ ମନ୍ଦିରରେ ଭିୟୁ ପଏଣ୍ଟ, ଦୀପ ଘର, ଜଜ୍ଞ ମଣ୍ଡପ, ସ୍ନାନ ମଣ୍ଡପ,ମେଡ଼ିଟେସନ ସେଣ୍ଟରର ମଧ୍ୟ କାମ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୫୦ କୋଟି ଟଙ୍କାର କାର୍ଯ୍ୟ ଶେଷ ହୋଇସାରିଲାଣି । ୨୦୨୩ ମସିହା ଜାନୁୟାରୀ ମାସ ଶେଷ ସୁଦ୍ଧା ମନ୍ଦିରର ସମସ୍ତ ପ୍ରକାରର ଉନ୍ନତି ମୂଳକ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ,‘‘ କହିଛନ୍ତି ମନ୍ଦିରର ନିର୍ବାହୀ ଅଧିକାରୀ ଟି.କେ ରେଡ଼ି।

‘‘ବର୍ତ୍ତମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଦୀର୍ଘ ୬ ଦିନ ଧରି ହେବାକୁ ଥିବା ବେଳେ ଏହାକୁ ନେଇ ସେବାୟତମାନେ ବେଶ ଉତ୍ସାହିତ । ମନ୍ଦିର ପ୍ରତିଷ୍ଠା ଉତ୍ସବ କିଭଳି ଶାନ୍ତି ଶୃଙ୍ଖଳାର ସହ ଶେଷ ହେବ ସେଥିପାଇଁ ମନ୍ଦିରର ନିର୍ବାହି ଅଧିକାରୀଙ୍କ ସମେତ ମନ୍ଦିର ସେବାୟତ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ବୈଠକରେ ସମସ୍ତ ପ୍ରକାର ଆଲୋଚନା ହୋଇଛି । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୁରୀ ଶଙ୍କରାଚାର୍ଯ୍ୟ ଓ ପୁରୀ ଗଜପତିଙ୍କୁ ନିମନ୍ତ୍ରଣ କରାଯିବ ବୋଲି ପ୍ରସ୍ତାବ ରଖାଯାଇଛି,”କହିଛନ୍ତି ତାରାତାରିଣୀ ମନ୍ଦିରର ସେବାୟତ ବାପୁଜୀ ରଣା ।

ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଙ୍କ ପ୍ରତିଷ୍ଠା ଉତ୍ସବରେ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ସାମିଲ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାରର ପଦକ୍ଷେପ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯିବା ନେଇ ଚାଲିଛି ପ୍ରସ୍ତୁତି ।

Leave a Reply

Your email address will not be published.