ଶୁକ୍ରବାର ଦିନ ପୁଣି ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବେ ରାହୁଲ୍‌ ଗାନ୍ଧୀ

Spread the love

ନୂଆଦିଲ୍ଲୀ: ୩ ଦିନରେ ସମୁଦାୟ ୩୦ ଘଣ୍ଟା ଜେରା କରିବା ପରେ ‘ନ୍ୟାସ୍‌ନାଲ୍‌ ହେରାଲଡ୍‌’ ମାମଲାରେ ଚତୁର୍ଥ ପର୍ଯ୍ୟାୟ ଜେରା ନିମନ୍ତେ ଶୁକ୍ରବାର ଦିନ ହାଜର ହେବା ଲାଗି ପ୍ରବର୍ତ୍ତନ ନିର୍ଦେଶାଳୟ ରାହୁଲ୍‌ ଗାନ୍ଧୀଙ୍କୁ ସମନ୍‌ ଜାରି କରିଛି।

କ୍ରମାଗତ ୩ ଦିନ ଧରି ଜେରା କରାଯିବା ପରେ ଗୋଟିଏ ଦିନ ଛାଡ଼ କରିବା ପାଇଁ ରାହୁଲ୍‌ ଗାନ୍ଧୀ ଅନୁରୋଧ କରିଥିଲେ। ପ୍ରବର୍ତ୍ତନ ନିର୍ଦେଶାଳୟ ତାଙ୍କ ଅନୁରୋଧ ରକ୍ଷା କରି ଗୁରୁବାର ପରିବର୍ତ୍ତେ ଶୁକ୍ରବାର ଦିନ ଜେରା ପାଇଁ ହାଜର ହେବାକୁ ସମନ୍‌ ଜାରି କରିଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି।

ବିଶେଷସୂତ୍ରରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ, ଜେରା ସମୟର ପ୍ରବର୍ତ୍ତନ ନିର୍ଦେଶାଳୟ ଅଡିଓ ଏବଂ ଭିଡିଓ ରେକର୍ଡ କରୁଛି। ପରେ ରାହୁଲ୍‌ ଦେଇଥିବା ବୟାନ ସବୁକୁ ଟାଇପ୍‌ କରାଯାଇ ସେଥିରେ ତାଙ୍କର ଏବଂ ତଦନ୍ତକାରୀ ଅଧିକାରୀଙ୍କର ଦସ୍ତଖତ ନିଆଯାଉଛି।

ଗତ ୩ ଦିନ ମଧ୍ୟରେ ରାହୁଲ୍‌ ଗାନ୍ଧୀଙ୍କୁ ୩୦ ଘଣ୍ଟାରୁ ଅଧିକ ସମୟ ଜେରା କରାଗଲାଣି। ତାଙ୍କ ବ୍ୟତିରେକେ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଜେରା କରାଯିବ। କିନ୍ତୁ, କୋଭିହ୍‌ ପଜିଟିଭ୍‌ ବାହାରିଥିବାରୁ ସେ ସମ୍ପ୍ରତି ଡାକ୍ତରଖାନାରେ ଚିକିତ୍ସାଧୀନା ଅଛନ୍ତି। ସ୍ବାସ୍ଥ୍ୟାବସ୍ଥା ସୁଧୁରିଲେ ତାଙ୍କୁ ମଧ୍ୟ ଜେରା କରାଯିବ।

ରାହୁଲ୍‌ ଗାନ୍ଧୀଙ୍କୁ ଜେରା କରାଯାଉ ଥିବାରୁ କଂଗ୍ରେସ ପାର୍ଟି ତରଫରୁ ଦିଲ୍ଲୀର ଆକବର ‌ରୋଡ୍‌ସ୍ଥିତ ମୁଖ୍ୟାଳୟ ଏବଂ ପ୍ରବର୍ତ୍ତନ ନିର୍ଦେଶାଳୟ ବାହାରେ ପ୍ରତିବାଦ ପ୍ରଦର୍ଶନ କରାଯାଉଛି। ନିଷେଧାଦେଶ ଏବଂ ବ୍ୟାପକ ପୋଲିସ୍ ବାରିକେଡ୍‌ ସତ୍ତ୍ବେ ପ୍ରତିବାଦକାରୀମାନେ ପ୍ରବର୍ତ୍ତନ ନିର୍ଦେଶାଳୟ ବାହାରେ ସେମାନେ ପୁରୁଣା ଟାୟାର ଜାଳିଥିଲେ।

Leave a Reply

Your email address will not be published.