ଶୁଖିଲା ପଡ଼ିଛି ଗଞ୍ଜାମର ଜୀବନରେଖା ଋଷିକୁଲ୍ୟା: ନଦୀ ସଂଯୋଗୀକରଣ କଥା ଭୁଲିଗଲେ ସରକାର

Spread the love

ବ୍ରହ୍ମପୁର, (ସୁଦୀପ୍ତ ଷଡ଼ଙ୍ଗୀ) : ଗଞ୍ଜାମ ଜିଲ୍ଲାବାସୀଙ୍କ ଚାଷଜମିରେ ଜଳସେଚନଠାରୁ ଆରମ୍ଭ କରି ପିଇବା ପର୍ଯ୍ୟନ୍ତ ସବୁ ଆବଶ୍ୟକତା ମେଣ୍ଟାଉଥିଲା ଋଷିକୁଲ୍ୟାର ଜଳ। ଗଞ୍ଜାମର ‘ଜୀବନରେଖା’ କୁହାଯାଉଥିବା ଏହି ନଦୀ ଏବେ ଶୁଖିଲା ପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ ନଦୀ ସଂଯୋଗୀକରଣ ଜରିଆରେ ଚିରସ୍ରୋତା କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। ଋଷିକୁଲ୍ୟାର ପ୍ରବାହିତ ଜଳକୁ ବର୍ଷତମାମ ଉପଯୋଗୀ କରିବା ଉଦ୍ଦେଶ୍ୟରେ ମେଗାଯୋଜନାର ପ୍ରସ୍ତାବ ରହିଥିଲା। ତାହା ଏଯାବତ୍‌ କାର୍ଯ୍ୟକାରୀ ହୋଇପାରିନି। ଫଳରେ, ଗ୍ରୀଷ୍ମଦିନରେ ପାଣି ପାଇଁ ଜିଲ୍ଲାବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତା’ ସାଙ୍ଗକୁ ୩ ଜିଲ୍ଲା ଗଞ୍ଜାମ, ନୟାଗଡ଼ ଓ ଖୋର୍ଦ୍ଧାର ପ୍ରାୟ ୧ଲକ୍ଷ ହେକ୍ଟର୍‌ ଜମିକୁ ଜଳସେଚନ ଲକ୍ଷ୍ୟ ବି ବହୁଦୂରରେ ରହିଯାଇଛି। ସରକାର ମଧ୍ୟ ନଦୀ ସଂଯୋଗୀକରଣ କଥାକୁ ସମ୍ପୂର୍ଣ୍ଣ ଭୁଲି ଯାଇଛନ୍ତି।କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ଋଷିମାଳ ପର୍ବତରୁ ଉତ୍ପତ୍ତି ଋଷିକୁଲ୍ୟା ନଦୀ ଗଞ୍ଜାମ ଜିଲ୍ଲା ଦେଇ ସମୁଦ୍ରରେ ମିଶିଛି। ଗଞ୍ଜାମ ସହର ନିକଟ ଦେଇଯାଇଥିବା ଋଷିକୁଲ୍ୟା ନଦୀ ଏକ କାରଖାନା ଯୋଗୁ ଦୂଷିତ ହେବାରୁ ୧୯୭୧ରେ ଚାଷୀ ଓ ମତ୍ସ୍ୟଜୀବୀମାନେ ସ୍ବ‌ର ଉଠାଇଥିଲେ। ସେହି କାରଖାନାରୁ ନିର୍ଗତ ଦୂଷିତ ପାଣି ନଦୀକୁ ନଛାଡ଼ିବା ପାଇଁ ଆନ୍ଦୋଳନ ଆରମ୍ଭ ହୋଇଥିଲା। ସେହି ଆନ୍ଦୋଳନରୁ ହିଁ ‘ଋଷିକୁଲ୍ୟା ବଞ୍ଚାଓ ମଞ୍ଚ’ର ମୂଳଦୁଆ ପଡ଼ିଥିଲା। ଓଡ଼ିଶାର ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡାଙ୍କ ଉଦ୍ୟମ କ୍ରମେ ଋଷିକୁଲ୍ୟା ଏହି ଆନ୍ଦୋଳନ କରାଯାଇଥିଲା। ୧୯୮୬ ମସିହାରେ ଶ୍ରୀ ପଣ୍ଡାଙ୍କ ନେତୃତ୍ବରେ ଋଷିକୁଲ୍ୟା ନଦୀର ସୁରକ୍ଷା ପାଇଁ ଦାବି କରି ଚାଷୀମାନେ ଛତ୍ରପୁର ବ୍ଲକ୍‌ ପୋଟଲାମପୁରଠାରେ ବିକ୍ଷୋଭ କରିଥିଲେ। ପରବର୍ତ୍ତୀ ସମୟରେ ଏହି ଆନ୍ଦୋଳନ ତୀବ୍ର ରୂପ ନେଇଥିଲା।

୨୦୦୦ ମସିହାରେ ଶ୍ରୀ ପଣ୍ଡା ନଦୀ ସଂଯୋଗୀକରଣ ଜରିଆରେ ମହାନଦୀର ବଳକା ଜଳକୁ ଆସିକାଠାରେ ବଡ଼ନଦୀରେ ପକାଇ ଋଷିକୁଲ୍ୟା ନଦୀକୁ ସ୍ରୋତ ବହୁଳ କରିବାପାଇଁ ପ୍ରସ୍ତାବ ଦେଇଥିଲେ। ଏହାସହିତ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ରାଜ୍ୟ ଜଳସମ୍ପଦ ମନ୍ତ୍ରୀଙ୍କୁ ଦାବିପତ୍ର ଦେଇଥିଲେ। ୨୦୦୩ ମାର୍ଚ୍ଚ ୨୫ତାରିଖରେ ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ବିଧାନସଭାରେ ସହମତି ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ଏହି ପରିକଳ୍ପନାର ବିକଳ୍ପ ସ୍ବରୂପ ବଂଶଧାରାକୁ ଋଷିକୁଲ୍ୟା ସହିତ ସଂଯୋଗ କରିବାପାଇଁ ୨୦୦୫ ଅଗଷ୍ଟ ୧୯ତାରିଖରେ ଗୁଡ଼ାରିଠାରେ ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। କିନ୍ତୁ, ଗୋଟିଏବର୍ଷ ପରେ ଏହି ପ୍ରକଳ୍ପକୁ ବ୍ୟୟବହୁଳ ଦର୍ଶାଇ ବାତିଲ କରି ଦିଆଯାଇଥିଲା।

ଅନ୍ୟପକ୍ଷରେ, ୨୦୦୭ ନଭେମ୍ବର ୩ତାରିଖରେ ଛତ୍ରପୁରଠାରେ ପୁଣିଥରେ ଚାଷୀ ଆନ୍ଦୋଳନ ହୋଇଥିଲା। ସେହିପରି ୨୦୧୦ ମାର୍ଚ୍ଚ ୫ତାରିଖରେ ଶ୍ରୀ ପଣ୍ଡାଙ୍କ ନେତୃତ୍ବରେ ସପ୍ତାହବ୍ୟାପୀ ଜଳଯାତ୍ରା ଆୟୋଜନ କରାଯାଇଥିଲା। ବାରମ୍ବାର ଆନ୍ଦୋଳନ ପରେ ନଦୀ ସଂଯୋଗୀକରଣ ପ୍ରସ୍ତାବ ଉପରେ ଜାତୀୟ ଜଳ ବିକାଶ ଏଜେନ୍ସି(ଏନ୍‌ଡବ୍ଲୁଡିଏ) ଏକ ରିପୋର୍ଟ ମଧ୍ୟ ଦାଖଲ କରିଥିଲା। ନୟାଗଡ଼ ଜିଲ୍ଲାର ବରମୂଳ ଠାରୁ ମହାନଦୀରୁ କେନାଲ୍‌ ଜରିଆରେ ପାଣି ଆଣି ଋଷିକୁଲ୍ୟା ନଦୀରେ ମିଶ୍ରଣ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଏହାଦ୍ବାରା ମହାନଦୀରେ ବନ୍ୟା ଜଳକୁ ନିୟନ୍ତ୍ରଣ କରାଯାଇ ଋଷିକୁଲ୍ୟାରେ ମରୁଡ଼ି ପରିସ୍ଥିତିର ସମାଧାନ ହୋଇ ପାରିବ ବୋଲି ପରିକଳ୍ପନା ହୋଇଥିଲା। ସେହିପରି ଏହି ଯୋଜନା କାର୍ଯ୍ୟକାରୀ ହେଲେ ଗଞ୍ଜାମ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର ପ୍ରାୟ ୧ଲକ୍ଷ ହେକ୍ଟର୍‌ ଜମି ଜଳସେଚିତ ହେବ ବୋଲି ଆକଳନ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ନଦୀ ସଂଯୋଗୀକରଣ ଉପରେ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ବର୍ଷାଦିନ ଛାଡ଼ି ଦେଲେ ଅନ୍ୟଦିନରେ ଶୁଖିଲା ପଡ଼ୁଥିବା ଏହି ନଦୀ ପ୍ରତି ସରକାର କେବେ ଦୃଷ୍ଟିଦେବେ, ତାହାର ଅପେକ୍ଷାରେ ରହିଛନ୍ତି ଜିଲ୍ଲାବାସୀ।

Leave a Reply

Your email address will not be published.