ଜୁନ ୧୨ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି ୨୦ ମ୍ୟାଚ; ଆଗାମୀ ସପ୍ତାହରେ ଚୂଡ଼ାନ୍ତ ହେବ ଟିକେଟ ଦର

Spread the love

କଟକ: ଏକ ଲମ୍ବା ସମୟର ବ୍ୟବଧାନ ପରେ ବାରବାଟୀ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବ ଆର୍ନ୍ତଜାତୀୟ କ୍ରିକେଟ ମ୍ୟାଚ । ଆସନ୍ତା ଜୁନ ୧୨ ତାରିଖ ବାରବାଟୀରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା । ଏନେଇ ନିଜର ଫିକ୍ସରକୁ ଚୂଡ଼ାନ୍ତ କରିଛି ବିସିସିଆଇ ।

“ଆସନ୍ତା ଜୁନ ମାସରେ ଭାରତ ଭ୍ରମଣରେ ଆସୁଥିବା ଦକ୍ଷିଣ ଆଫ୍ରିକା ଟିମ ଏଠାରେ ମୋଟ ୪ଟି ମ୍ୟାଚ ଖେଳିବାକୁ ଥିବା ବେଳେ ସେଥିମଧ୍ୟରୁ ସିରିଜର ଦ୍ବିତୀୟ ମ୍ୟାଚଟି ବାରବାଟୀରେ ଅନୁଷ୍ଠିତ ହେବ । ଏହି ଟି-୨୦ ମ୍ୟାଚଟି ସଂନ୍ଧ୍ୟା ସାଢେ ୭ ଟାରେ ଖେଳାଯିବ ବୋଲି ସିଡ୍ୟୁଲରେ ସ୍ଥିର କରିଛି ବିସିସିଆଇ । ତେବେ ମ୍ୟାଚର ଯଥେଷ୍ଟ ପୂର୍ବରୁ ଷ୍ଟାଡ଼ିୟମର ନବ ନିର୍ମାଣ କାର୍ଯ୍ୟକୁ ସମ୍ପର୍ଣ୍ଣ କରାଯିବ,”କହିଛନ୍ତି ଓସିଏ ସମ୍ପାଦକ ।

“ଆମର ଆଉଟ ଫିଲ୍ଡକୁ ସ୍ୟାଣ୍ଡ ବେଷ୍ଡ କାର୍ଯ୍ୟ ଶେଷ ହୋଇଛି। ଫଳରେ ବର୍ଷା ପାଣି ପଡ଼ିଆରେ ରହିବ ନାହିଁ । ବର୍ଷାରେ ଛାଡ଼ିବାର ତୁରନ୍ତ ପରେ ମ୍ୟାଚ ଆରମ୍ଭ ହୋଇପାରିବ। ଫଲ୍ଡ ଲାଇଟ ବଦଳରେ ଏଲିଡ଼ି ଲାଇଟ ଲାଗୁଛି । ଆସନ୍ତା ୧୦ ଦିନ ମଧ୍ୟରେ ସେହି କାମ ମଧ୍ୟ ଶେଷ ହୋଇଯିବ,” କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

ଷ୍ଟାଡିୟମର ଏହି ନବନିର୍ମାଣ କାର୍ଯ୍ୟ ବ୍ୟାପକ ସ୍ତରରେ କରାଯାଇଛି । ଗ୍ରାଉଣ୍ଡର ସ୍ୟାଣ୍ଡ ବେଷ୍ଟ କାର୍ଯ୍ୟ ଶେଷ ହେବା ପରେ ଏହାର ପରିକ୍ଷଣ ମଧ୍ୟ କାର୍ଯ୍ୟ ମଧ୍ୟ ଶେଷ ହୋଇଛି । ଏହା ସହିତ ବାରବାଟୀ ଷ୍ଟାଡିୟମରେ ଲାଗିଥିବା ୨୦ ବର୍ଷ ପୁରୁଣା ଫ୍ଲଡ ଲାଇଟକୁ କଢା ଯାଇ ତା ବଦଳରେ ଏଲିଡି ଲାଇଟ ଲଗାଯାଉଛି । ଏହା ସହିତ ଖେଳାଳୀମାନଙ୍କ ଡ୍ରେସିଂ ରୁମକୁ ବି ନୂଆ ରୂପ ଦିଆଯାଉଛି ।

ସେପଟେ ନବକଳେବର ପରେ ବାରବାଟୀର ଗ୍ରାଉଣ୍ଡ ବିଶ୍ବର ଅନ୍ୟ ଗ୍ରାଉଣ୍ଡ ସହ ନିଜକୁ ସମକକ୍ଷ କରି ସାରିଛି। ଏଠାରେ ହେବାକୁ ଥିବା ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି -୨0 ମ୍ୟାଚଟି ରୋମାଞ୍ଚକର ହେବ ବୋଲି କ୍ରିକେଟ ସମିକ୍ଷକ କହିଥିବା ବେଳେ ଏହି ମ୍ୟାଚକୁ ନେଇ ବେଶ ଉତ୍ସାହିତ ଅଛନ୍ତି କ୍ରିକେଟ ପ୍ରେମୀ ।

“ବାରବାଟୀ ଷ୍ଟାଡିୟମରେ ଶେଷ ଥର ପାଇଁ ୨୦୧୫ ମସିହାରେ ଭାରତ ଆଉ ଦକ୍ଷିଣ ଆଫ୍ରିକା ଦଳ ମୁହାଁମୁହିଁ ହୋଇଥିଲେ । ସେହି ଟି ୨୦ ମ୍ୟାଚରେ ଭାରତ ପରାସ୍ତ ହୋଇଥିଲା ସତ । କିନ୍ତୁ ୨୦୧୫ ମସିହାର ଟିମ ଅପେକ୍ଷା ଏବେ ଭାରତୀୟ ଟିମ ମଜଭୁତ ଅଛି । ତା’ପରେ ବାରବାଟୀର ଗ୍ରାଉଣ୍ଡ ନୂଆ ଥିବାରୁ ଆସନ୍ତା ଜୁନ ୧୨ ତାରିଖ ଦିନ ଏଠାରେ ଦୁଇ ଦେଶ ମଧ୍ୟରେ ଏକ କଡ଼ା ଟକର ଦେଖିବାକୁ ମିଳିବ,” କହିଛନ୍ତି କ୍ରିକେଟ ଏକ୍ସପର୍ଟ ପଓ୍ବନ ଅଗ୍ରଓ୍ବାଲ ।

କୋଭିଡ ସ୍ଥିତିରେ ସୁଧାର ଆସିଥିବାରୁ ଦର୍ଶକମାନେ ଷ୍ଟାଡ଼ିୟମରେ ବସି ଏହି ମ୍ୟାଚଟିକୁ ଦେଖିବାର ସୁଯୋଗ ପାଇବେ । ବାରବାଟୀ ଷ୍ଟାଡ଼ିୟମର ଦର୍ଶକ ଧାରଣ କ୍ଷମତା ୪୫ ହଜାର ଥିବା ବେଳେ ଦର୍ଶକଙ୍କ ଭିତରେ ଥିବା ଉତ୍ସାହକୁ ଦେଖି ପୂର୍ବ ଦିନ ଗୁଡ଼ିକ ଭଳି ଏହି ମ୍ୟାଚରେ ଷ୍ଟାଡିୟମ ଭରି ଯିବ ବୋଲି ଆଶା କରିଛି ଓସିଏ । ତେବେ ଓସିଏ ଏହି ଟି-୨୦ ମ୍ୟାଚ ପାଇଁ ଆସନ୍ତା ମାସ ସୁଦ୍ଧା ଟିକେଟ ଦର ଧାର୍ଯ୍ୟ କରିବ ବୋଲି ଜଣାପଡ଼ିଛି ।

Leave a Reply

Your email address will not be published.