ମାଟିରେ ମିଶିଲା ମନ୍ଦିର; ଅସନ୍ତୋଷ ପ୍ରକାଶ କଲେ ସ୍ଥାନୀୟ ଶ୍ରଦ୍ଧାଳୁ ଓ ପୂଜକ

Spread the love

ଭୁବନେଶ୍ୱର: ଭାଙ୍ଗିଛି ମନ୍ଦିର। ମାଟିରେ ମିଶିଲା ରାଜଧାନୀର ବହୁ ପୁରାତନ ତାରିଣୀ ମନ୍ଦିର। ଉଚ୍ଛେଦ ହୋଇଛି ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ତାରିଣୀ ମନ୍ଦିର। ସ୍ମାର୍ଟ ଜନପଥ କାମ ପାଇଁ ବିଏମସି ଓ ବିଏସସିଏଲ ପକ୍ଷରୁ ମିଳିତ ଭାବେ ମନ୍ଦିର ଉଚ୍ଛେଦ କରାଯାଇଛି।

ପୂର୍ବରୁ ପର୍ଯ୍ୟାୟ କ୍ରମେ ମନ୍ଦିରର ଚତୁଃପାଶ୍ୱକୁ ଉଚ୍ଛେଦ କରାଯାଇଥିଲା। କିନ୍ତୁ କୋର୍ଟରେ ମାମଲା ବିଚାରାଧୀନ ଥିବା ସହ ଭକ୍ତଙ୍କ ବିରୋଧ ଯୋଗୁଁ ମୁଖ୍ୟ ମନ୍ଦିରକୁ ଛାଡ଼ି ଦିଆଯାଇଥିଲା। ଏହାରି ଭିତରେ ମନ୍ଦିରକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ହୋମିଓପାଥୀ କଲେଜ ନିକଟରେ ଜାଗା ଦିଆଯାଇଛି।

“ରାସ୍ତା ମଝିରେ ପୁରୁଣା ମନ୍ଦିର ଥିବା କାରଣରୁ ଟ୍ରାଫିକ ସମସ୍ୟା ସହିତ ଶିଶୁଭବନ ଛକ ଠାରୁ ବାଣୀବିହାର ଛକ ପର୍ଯ୍ୟନ୍ତ ସ୍ମାର୍ଟ ଜନପଥ ପ୍ରକଳ୍ପରେ ବାଧା ସୃଷ୍ଟି ହେଉଥିଲା। ତେଣୁ ମନ୍ଦିର ଉଚ୍ଛେଦ କରାଯାଇଛି,” କହିଛନ୍ତି ବିଏମସି ଏନ୍ଫୋର୍ସମେଣ୍ଟ ଅଧିକାରୀ ଲିଲନ ପ୍ରସାଦ ସାହୁ।

ମନ୍ଦିର ଉଚ୍ଛେଦ ପାଇଁ ପୂର୍ବରୁ ନୋଟିସ ଦିଆଯାଇଥିଲା। ପଣା ସଂକ୍ରାନ୍ତି ଦିନ ମନ୍ଦିର ସ୍ଥାନାନ୍ତର ପାଇଁ କୁହାଯାଇଥିଲା। କିନ୍ତୁ ଏଥିରେ ବିଳମ୍ବ କରିଥିଲେ ମନ୍ଦିର କର୍ମଚାରୀ। ଏନେଇ ପୁନର୍ବାର ମଙ୍ଗଳବାର ସୂଚନା ଦିଆଯାଇଥିଲା। ଆଉ ପରେ ବୁଧବାର ଜେସିବି ଲଗେଇ ମନ୍ଦିରକୁ ଭାଙ୍ଗି ଦିଆଯାଇଛି। ମନ୍ଦିର ଭଙ୍ଗାକୁ ନେଇ ଶ୍ରଦ୍ଧାଳୁ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।

ତାରିଣୀ ମନ୍ଦିର ପରିସରରେ ଥିବା ଦୋକାନଗୁଡିକୁ ପୂର୍ବରୁ ହଟାଯାଇଥିଲା। ମନ୍ଦିରର ଚାରିପାଖରେ ସ୍ମାର୍ଟ ଜନପଥ କାମ ଜାରି ରହିଛି। କିନ୍ତୁ ମନ୍ଦିର ପାଇଁ କାମ ସମ୍ପୂର୍ଣ୍ଣ ହୋଇପାରୁ ନଥିଲା। ଏବେ ସୁରୁଖୁରୁରେ କାମ ଚାଲିବ ବୋଲି କୁହାଯାଇଛି। ସେପଟେ ଟ୍ରାଫିକ ସମସ୍ୟା ମଧ୍ୟ ଦୂର ହୋଇପାରିବ।

Leave a Reply

Your email address will not be published.